RBI ଜାରି କଲା ନୂଆ ଗାଇଡଲାଇନ୍ PPS, ଏଣିକି Cheque କ୍ଲିୟରିଂ ବେଳେ ଡିଟେଲ୍ସ ନଦେଲେ ବ୍ୟାଙ୍କ କରିଦେବ ରିଜେକ୍ଟ

ନୂଆଦିଲ୍ଲୀ: ଆରବିଆଇ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଣିକି ଆପଣଙ୍କୁ ଚେକ୍ ପେମେଂଟ ସମୟରେ ଡିଟେଲ୍ଟ ଦେବାକୁ ପଡ଼ିବ । ନଚେତ୍ ଚେକ୍ କ୍ଲିୟରିଂ ହେବ ନାହିଁ । ୫୦ ହଜାରରୁ ଅଧିକ ଟଙ୍କାର ଟ୍ରାଞ୍ଜାକସନ ସମୟରେ ଡିଟେଲ୍ସ ନଦେଲେ, ଆପଣଙ୍କର ଚେକକୁ ବ୍ୟାଙ୍କ ରିଜେକ୍ଟ କରିଦେବ । ତେବେ ବର୍ତମାନ ପରିପ୍ରେକ୍ଷୀରେ ବ୍ୟାଙ୍କଗୁଡ଼ିକ ପଜିଟିଭି୍ ପେ ସିଷ୍ଟମ( ପିପିଏସ୍‌) ବ୍ୟବସ୍ଥାକୁ ଲାଗୁ କରିବାରେ ଲାଗିପଡ଼ିଛନ୍ତି । ଅଧିକାଂଶ ବ୍ୟାଙ୍କ ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହାକୁ ଲାଗୁ କରିବେ । ଚେକ ଟ୍ରାଞ୍ଜାକସନ ସିଷ୍ଟମ (ସିଟିଏସ୍‌) ପାଇଁ ଗତ ୨୦୨୦ ଅଗଷ୍ଟରେ ପିପିଏସ ଲାଗୁ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଘୋଷଣା କରିଥିଲା ।

ପିପିଏସ ମାଧ୍ୟମରେ ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସବିଶେଷ ତଥ୍ୟର ଯାଂଚ କରାଯାଇ ଆପଣ ପ୍ରକୃତ ହିତାଧିକାରୀ ବୋଲି ଚିହ୍ନଟ କରାଯିବ । ଏହି ଡିଟେଲ୍ସରେ ଚେକ ଜାରି ତାରିଖ, ୬ ଅଙ୍କ ବିଶିଷ୍ଟ ଚେକ ନମ୍ବର, ଅର୍ଥର ପରିମାଣ, ଲାଭାର୍ଥୀଙ୍କ ନାମ ଆଦି ସାମିଲ୍ ରହିଛି । ଏହାର ସୂଚନା ଆପଣ ବ୍ୟାଙ୍କ ଶାଖାକୁ ଯାଇ କିମ୍ବା ଇଂଟରନେଟ ବ୍ୟାଙ୍କିଂ ମାଧ୍ୟମରେ ପ୍ରଦାନ କରିପାରିବେ । କିଛି ବ୍ୟାଙ୍କ ପକ୍ଷରୁ ଏନେଇ ଗ୍ରାହକଙ୍କୁ ଏସଏମଏସ, ଏଟିଏମ୍‌, ଇ-ମେଲ୍ ଜରିଆରେ ଅବଗତ କରାଯାଉଛି । ଗତବର୍ଷ ଆରବିଆଇ ନୂଆ ନିୟମ ପ୍ରଣୟନ ନେଇ ଘୋଷଣା କରିଥିବା ବେଳେ ବର୍ତମାନ ବ୍ୟାଙ୍କମାନେ ପିପିଏସ୍ କାର୍ଯ୍ୟକାରୀ କଲେଣି ବା କେବେ କରିବେ, ତାହା ଗ୍ରାହକଙ୍କୁ ଜାଣିବା ନିହାତି ଦରକାର । ତେବେ ଅଧିକ ପରିମାଣର ଅର୍ଥ ଚେକରେ ପେମେଂଟ ପାଇଁ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ପିପିଏସ୍ ବାଧ୍ୟତାମୂଳକ କରାଯାଇଥିଲା । ଚେକ୍ ଜାରି କରିବା ପରେ ବ୍ୟାଙ୍କ ଶାଖା, ନେଟ ବା ମୋବାଇଲ ବ୍ୟାଙ୍କିଂ ଜରିଆରେ ଡିଟେଲ୍ସ ଦେବାକୁ ଗ୍ରାହକଙ୍କୁ କୁହାଯାଇଥିଲା । ସେହିପରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଓ କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ୫୦ ହଜାରରୁ ଅଧିକ ଟଙ୍କାର ନେଣଦେଣ ପାଇଁ ପିପିଏସ୍ ଲାଗୁ କରିଥିଲେ । ଏହି ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଏହା ଏକ ବିକଳ୍ପ ବ୍ୟବସ୍ଥା ରୂପେ ରଖାଯାଇଛି । କିଛି ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କୁ ଯୋଗାଯୋଗ କରି ଭେରିଫିକେସନ କରୁଥିବା ଦେଖାଯାଉଛି । ଏହି ନିୟମ ଗ୍ରାହକଙ୍କ ପାଇଁ ଏକ ଉତମ ବ୍ୟବସ୍ଥା ଅଟେ । କାରଣ ଭବିଷ୍ୟତରେ ଯେ କୌଣସି ଠକାମିରୁ ଏହା ବଂଚାଇବାରେ ସହାୟକ ହୋଇପାରିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।