ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା କାରଣରୁ ଅନେକ ଅଞ୍ଚଳ ଜଳମଗ୍ନ ରହିଛି । କିଛି ସଡକର ଦୃଶ୍ୟ ତ ପୋଖରୀ ପରି ନଜର ଆସୁଛି । ଅନ୍ୟପଟେ ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିିଛି । ଭୀଷଣ ବର୍ଷାରେ ଗାଜିପୁର ବର୍ଡର ମଧ୍ୟ ଉବୁଟୁବୁ । ହେଲେ ବର୍ଷାକୁ ଖାତିର ନକରି ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ ପାଣିରେ ବସି ଧାରଣା ଆରମ୍ଭ କରି ଦେଇଛନ୍ତି । ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି ଯେ, ଟିକାୟତ ନିଜର ସାଥୀଙ୍କ ସହ ବ୍ୟାରିକେଡ୍ ଆଗରେ ପାଣିରେ ଚକାମାଡି ବସିଛନ୍ତି । ଦିଲ୍ଲୀରୁ ଟିକାୟତଙ୍କ ଏହି ଫଟୋ ସେହି ସମୟରେ ଆସିଛି, ଯେତେବେଳେ ହରିୟାଣାର କରନାଲରେ କୃଷକ ଆନ୍ଦୋଲନ ସମାପ୍ତ ହୋଇଛି ।
ରାଜଧାନୀ ଦିଲ୍ଲୀରେ ଶନିବାର ସକାଳୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ଫଳରେ ମୋତି ବାଗ, ଆରକେ ପୁରମ, ମଧୁ ବିହାର, ହରି ନଗର, ରୋହତକ ରୋଡ, ବଦରପୁର, ସୋମ ବିହାର, ଆଇପି ଷ୍ଟେସନ ନିକଟ ରିଙ୍ଗ ରୋଡ୍, ବିକାଶ ମାର୍ଗ, ସଙ୍ଗମ ବିହାର, ମହରୋଲି-ବରଦପୁର ରୋଡ, ପୁଲ ପ୍ରହ୍ଲାଦପୁର ଅଣ୍ଡରପାସ, ମୁନିରକା, ରାଜପୁର ଖୁର୍ଦ, ନାଙ୍ଗଲୋଇ ଓ କିରାଡି ସମେତ ଅନେକ ଜାଗା ଏବଂ ରାସ୍ତା ପାଣିରେ ବୁଡି ରହିଛି ।
କରନାଲର ଏସଡିଏମ ଆୟୂଷ ସିହ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଟିକାୟତ ଘୋଷଣା କରିଥିଲେ ଯେ, ଆଲୋଚନା ତେବେ ଯାଇ ହେବ ଯେବେ ଏସଡିଏମ ଆୟୂଷ ସିହ୍ନାଙ୍କ ବିରୋଧରେ ମାମଲା ରୁଜୁ ହେବ । ଜିଲ୍ଲା ସଚିବାଳୟ ବାହାରେ ଧାରଣାରେ ବସିଥିବା କୃଷକ ଏବଂ ସରକାର ମଧ୍ୟରେ ସମାଧାନର ରାସ୍ତା ବାହାରିଛି ।