fbpx

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସାମିଲ ହେଲା ରାମାୟଣ ଓ ମହାଭାରତ

ନୂଆଦିଲ୍ଲୀ:ବୈଷୟିକ ଶିକ୍ଷାରେ ସାଂସ୍କୃତିକ ବିଭବ ଭର୍ତ୍ତି କରିବାକୁ ଯାଇ ମଧ୍ୟପ୍ରଦେଶ ସରକାର ରାଜ୍ୟର ଇଂଜିନିୟରିଂ ପାଠ୍ୟକ୍ରମରେ ରାମାୟଣ ଓ ମହାଭାରତ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ମହାଭାରତ, ରାମାୟଣ ଓ ରାମଚରିତ ମାନସ ଭର୍ତ୍ତି କରାଯାଇଥିବା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଏ ବିଷୟରେ ସୂଚନା ଦେଇ ମଧ୍ୟପ୍ରଦେଶ ଉଚ୍ଚଶିକ୍ଷା ମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ ଏଥିରେ କିଛି ଭୁଲ୍ ନାହିଁ । ଭଗବାନ୍ ରାମଚନ୍ଦ୍ରଙ୍କ ଚରିତ୍ର ଓ ସମସାମୟିକ କାର୍ଯ୍ୟଧାରା ବିଷୟରେ ଯିଏ ଜାଣିବାକୁ ଚାହିଁବ, ଇଂଜିନିୟରିଂ ପଢ଼ା ଭିତରେ ବି ସେ ତାହା କରିପାରିବ । ସେ ପୁଣି କହିଛନ୍ତି ଯେ ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ରଖି ଏହି ପଦକ୍ଷେପ ନିଆଯାଇଛି । ମନ୍ତ୍ରୀ ଯାଦବ କହିଲେ ଯେ, ଶିକ୍ଷା ବୋର୍ଡ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅଧୀନରେ ପାଠ୍ୟକ୍ରମ ପ୍ରସ୍ତୁତ କରିଛନ୍ତି ।

ଆମେ ଯଦି ଆମର ଗୌରବମୟ ଅତୀତ ବିଷୟରେ ଜାଣିବା ପାଇଁ ଚାହିଁବା ସେଥିରେ କାହାରି କିଛି ଆପତ୍ତି ରହିବା ଉଚିତ ନୁହେଁ ବୋଲି ସେ କହିଥିଲେ । ତେବେ ବୈଷୟିକ ପାଠ୍ୟକ୍ରମରେ ପ୍ରକୃତରେ କ’ଣ ଯୋଗ କରାଯାଇଛି, ସେ ବିଷୟରେ ସବିଶେଷ ବିବରଣୀ ମିଳିନାହିଁ । ମଧ୍ୟପ୍ରଦେଶ ହେଉଛି ଅନ୍ୟତମ ରାଜ୍ୟ ଯିଏ ବିଦ୍ୟାଳୟ ଓ ଉଚ୍ଚଶିକ୍ଷାରେ ଏନଇପି ୨୦୨୦ ପ୍ରବର୍ତ୍ତନ କରିବା ଉପରେ କାମ କରିବା ଆରମ୍ଭ କରିଛି । ଏନଇପି ୨୦୨୦ରେ ଆଞ୍ଚଳିକ ଭାଷାରେ ଇଂଜିନିୟରିଂ ଶିକ୍ଷା ଲାଗି ପ୍ରସ୍ତାବ ରହିଛି । ଏହାକୁ କେତେକ କାର୍ଯ୍ୟକାରୀ କରିବା ଆରମ୍ଭ କରିଥିଲେ ମଧ୍ୟ ଏହାକୁ ନେଇ ବିରୋଧ ଓ ଆହ୍ୱାନ ଉଭୟ ଦେଖାଦେଇଛି । ପୁଣି ପୁରାଣଶାସ୍ତ୍ରକୁ ବୈଷୟିକ ଶିକ୍ଷାରେ ଭର୍ତ୍ତି କରିବାକୁ ନେଇ ଆଗକୁ ବିବାଦ ତେଜିବ ବୋଲି ଆଶଙ୍କା କରାଯାଉଛି  । ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କେତେକ ଶିକ୍ଷାନୁଷ୍ଠାନ ସମ୍ପ୍ରତି ଭାରତୀୟ ପୁରାଣଦର୍ଶନକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଛନ୍ତି । ଗତବର୍ଷ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ପକ୍ଷରୁ ରାମାୟଣର ବିଷୟବସ୍ତୁକୁ ନେଇ ଏକ ବହୁପ୍ରଚାରିତ ଓ ସଫଳ ନେତୃତ୍ୱ ଧାରାବାହିକର ପରିଚାଳନା କରାଯାଇଥିଲା ।

Get real time updates directly on you device, subscribe now.