fbpx

ବାତ୍ୟା ମୁକାବିଲା ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ମାଲକାନଗିରି(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ଲାଗି ମାଲକାନଗିରି ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଜିଲ୍ଲାର ସମସ୍ତ ୭ଟି ବ୍ଲକ ଓ ତହସିଲ କାର୍ୟ୍ୟାଳୟର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆ ଯାଇଛି । ବିଶେଷ କରି ବାତ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଲୋକଙ୍କୁ ତଳିଆ ସ୍ଥାନକୁ ଯିବା ଲାଗି ବାରଣ କରାଯାଇଛି । ନଈକୂଳିଆ ଓ ବନ୍ୟା ଆଶଙ୍କା କରାଯାଉଥିବା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ତରଫରୁ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ମାଲକାନଗିରି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବଣ୍ଡାଘାଟି ଓ ଗୋବିନ୍ଦପାଲି ଘାଟିରେ ଭୂ-ସ୍ଖଳନ ହେବାର ଆଶଙ୍କା ରହିଛି। ଏହି ରାସ୍ତାରେ କାହାରିକୁ ନଯିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି । ଗତ କାଲି ସନ୍ଧ୍ୟା ସୁଦ୍ଧା ୩ ଟି ଓଡ୍ରାଫ ଟିମ ମାଲକାନଗିରିରେ ପହଞ୍ଚିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଆଉ ବାକି ଟିମ ପହଞ୍ଚିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେମାନଙ୍କୁ ଜିଲ୍ଲାର ୬ଟି ସ୍ଥାନରେ ଆଲର୍ଟ ରହିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ଖାଇରପୁଟ, ବଣ୍ଡାଘାଟି , ମାଥିଲି , ଚିତ୍ରକୋଣ୍ଡା , ପଡିଆ , ମୋଟୁ ଏବଂ କାଲିମେଳା ଅଞ୍ଚଳକୁ ଅଧିକ ନଜର ରଖିବା ସହ ସେହି ଅଞ୍ଚଳର ବୃଦ୍ଧ ଓ ଗର୍ଭବତୀ ମହିଳାଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂହ । ଏହିସବୁ ସ୍ଥାନ ଗୁଡିକରେ ଶୁଖିଲାଖାଦ୍ୟ ସହ ଜାଗା ଜାଗାରେ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇଥିବା ଜିଲ୍ଲାପାଳ ବିଶାଳ ସିଂ ପ୍ରକାଶ କରିଛନ୍ତି । ଜିଲ୍ଲାର ପ୍ରତ୍ୟେକ ଗଣ ମାଧ୍ୟମ ପ୍ରତିନିଧି ମାନେ ଆସୁଥିବା ବାତ୍ୟା ” ଗୁଲାବ” ର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.