ପିିପିଲି/ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ପିିପିଲି ବିଧାନସଭା ଆସନ ପାଇଁ ଗୁରୁବାର ମତଦାନ ସମ୍ପନ୍ନ ହୋଇଛି । ଫଳରେ ପିପିଲି ଉପନିର୍ବାଚନ ଲଢ଼ୁଥିବା ୧୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି । ଏବେ ଅକ୍ଟୋବର ୩ ତାରିଖକୁ ଅପେକ୍ଷା । ସେହିଦିନ ଭୋଟ୍ ଗଣତି ହେବା ସହ ଫଳାଫଳ ଘୋଷଣା ହେବ । ପିପିଲି ଅଞ୍ଚଳବାସୀ ପାଇବେ ନୂଆ ବିଧାୟକ ।
ପିିପିଲି ବିଧାନସଭା ଆସନ ପାଇଁ ଗୁରୁବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର୬୮.୪୦ ପ୍ରତିଶତ ରହିଥିଲା । ଅନ୍ୟପକ୍ଷରେ ମଇଦାନରେ ଥିବା ୩ ପ୍ରମୁଖ ଦଳର ପ୍ରାର୍ଥୀ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ଚନ୍ଦ୍ରଦେଇପୁର ପଞ୍ଚାୟତ କମାକନ୍ତିଆ ବୁଥ୍ରେ ଭୋଟ ଦେଇଥିବାବେଳେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ପାଣିଦୋଳପୁର ବୁଥ୍ରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ରୁଦ୍ରପ୍ରତାପ ନିଜ ମାଆ ପ୍ରତିଭା ମହାରଥୀ, ଭଉଣୀ ପଲ୍ଲବୀ, ପତ୍ନୀ ଜାଗୃତି ଓ ସମ୍ପର୍କୀୟଙ୍କ ସହ ଯାଇ ଭୋଟ ଦେଇଥିବା ଦେଖିବାକୁ ମିଳିଥିଲା ।ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ଡେଲାଙ୍ଗ ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ବୁଥରେ ମତଦାନ କରିଛନ୍ତି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ପିପିଲିରେ ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ମତଦାନ ସମୟରେ କୌଣସି ଠାରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିନାହିଁ । ମତଦାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମକ୍ ଡ୍ରିଲ୍ କରାଯାଇଥିଲା । ପୂର୍ବାହ୍ନ ୯ଟା ସୁଦ୍ଧା ୭.୮% ମତଦାନ ହୋଇଥିବା ବେଳେ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ, ଅପରାହ୍ନ ୧ ଟା ସୁଦ୍ଧା ୪୫.୩୨% ଏବଂ ଅପରାହ୍ନ ୩ ଟା ସୁଦ୍ଧା ୫୯.୭୨% ମତଦାନ ହୋଇଥିଲା ବୋଲି ସେ ସୂଚନା ଦେଇଛନ୍ତି । ତେବେ ପିପିଲି ଉପନିର୍ବାଚନ ପାଇଁ ଗୁରୁବାର ସକାଳୁ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ବିଭିନ୍ନ ବୁଥ୍ରୁ ଇଭିଏମ୍ ଅଚଳ ଖବର ସାମ୍ନାକୁ ଆସିଥିଲା । କୌଶଲ୍ୟାପୁରର ୧୫୪ ନମ୍ବର ବୁଥ୍ ସହିତ ପୁବାର ୧୫୮, ଲକ୍ଷ୍ମୀନାରାୟଣପୁରର ୧୬୧, କୁଞ୍ଜରର ୧୬୭, ସିଉଳାର ୧୬୯ ଓ ବିନାୟକପୁରର ୧୭୩ ନମ୍ବର ବୁଥ୍ରେ ଇଭିଏମ୍ରେ ତ୍ରୁଟି ଦେଖିବାକୁ ମିଳିବା ପରେ ଭୋଟ୍ ଗ୍ରହଣ ବାଧାପ୍ରାପ୍ତ ହୋଇଛି । ଏହା ପୂର୍ବରୁ ୧୩୯-ଇ, ୧୭୭, ୧୮୮ ଓ ନୂଆଶାସନ ଦକ୍ଷିଣ ସାହିର ୨୦୩ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ ହୋଇଯାଇଥିଲା । ତେବେ ଏଗୁଡ଼ିକୁ ସଜାଡ଼ିବା ପରେ ପୁଣି ମତଦାନ ଆରମ୍ଭ ହୋଇଛି । ଏହି ନିର୍ବାଚନ ମଣ୍ଡଳୀରେ ୨,୨୯,୯୯୮ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଥିଲା । କିନ୍ତୁ ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ମୋଟ ସ୍ଥାପନ କରାଯାଇଥିବା ୩୪୮ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦନଶୀଳ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଏହି ନିର୍ବାଚନରେ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।ସେହିପରି ଭୋଟରମାନଙ୍କ ପାଇଁ ମାସ୍କ, ସାନିଟାଇଜର ଓ ଗ୍ଲୋବ୍ସ ବାଧ୍ୟତାମୂଳକ କରାଯାଇଥିଲା ।
ପ୍ରକାଶଯୋଗ୍ୟ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ କରୋନାରେ ମୃତ୍ୟୁ ପରେ ଏହି ଉପନିର୍ବାଚନ ହୋଇଛି । ପୂର୍ବରୁ ଦୁଇ ଦୁଇଥର ନିର୍ବାଚନ ସ୍ଥଗିତ ରହିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଓ କରୋନା ସଂକ୍ରମଣ ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ୍ । ବିଜେଡି ଓ ବିଜେପି ପାର୍ଥୀଙ୍କୁ ଅପରିବର୍ତ୍ତିତ ରଖି କେବଳ କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବା ପାଇଁ ସୁଯୋଗ ମିଳିଥିଲା । ତେଣୁ ଏହି ଉପନିର୍ବାଚନରେ ବିଜେଡିର ରୁଦ୍ର ମହାରଥୀ, ବିଜେପିର ଆଶ୍ରୀତ ପଟ୍ଟନାକଙ୍କ ସହ କଂଗ୍ରେସରୁ ଲଢେଇ କରୁଛନ୍ତି ବିଶ୍ୱକେଶନ ହରିଚନ୍ଦନ ।