fbpx

ହକିକୁ ବାଏ ବାଏ କହିଲେ ଭାରତୀୟ ଦଳର ଷ୍ଟାର ଫରୱାର୍ଡର ଏସଭି ସୁନିଲ, ତାଙ୍କ ନାଁରେ ରହିଛି ଅନେକ ରେକର୍ଡ

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ପୁରୁଷ ହକି ଦଳର ଦୁଇ ପ୍ରମୁଖ ଖେଳାଳି ରୁପିନ୍ଦର ପାଲ ସିଂ ଓ ବିରେନ୍ଦ୍ର ଲାକ୍ରା ଅନ୍ତର୍ଜାତୀୟ ହକିରୁ ଅବସର  ଘୋଷଣା କରିଥିବା ବେଳେ ଶୁକ୍ରବାର ଦିନ ଏସ ଭି ସୁନିଲ ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଛନ୍ତି । ସୂଚନା ଯୋଗ୍ୟ ଯେ ରୁପିନ୍ଦର ଓ ଲାକ୍ରା ଗତ ଟୋକିଓ ଅଲିମ୍ପିକ୍‌ କ୍ରୀଡାରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିବା ବେଳେ ଏସଭି ସୁନିଲ ଏହି ସୁଯୋଗ ପାଇ ନ ଥିଲେ ।

କର୍ଣ୍ଣାଟକରେ ଜନ୍ମିତ ୩୨ ବର୍ଷୀୟ ସୁନିଲ ଦୀର୍ଘ ୧୪ ବର୍ଷ ଧରି ଭାରତୀୟ ହକି ସହିତ ସଂପୃକ୍ତ ଥିବା ବେଳେ ୨୦୦୭ରେ ଆରମ୍ଭ କରିଥିଲେ ଅନ୍ତର୍ଜାତୀୟ ଜୀବନ । ଉକ୍ତ ବର୍ଷ ସେ ଏସିଆ କପରେ ଖେଳିବା ସହିତ ଭାରତ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା । ଏହା ପରେ ସେ ଆଉ କେବେ ପଛକୁ ଫେରି ନ ଥିଲେ । ଭାରତ ପାଇଁ ଲଗାତର ପ୍ରତିନିଧିତ୍ୱ କରିବା ସହିତ ୨୦୧୨ ଓ ୨୦୧୬ ଅଲିମ୍ପିକ୍ସ ଖେଳିଥିଲେ । ଭାରତୀୟ ଦଳର ଜଣେ ଦକ୍ଷ ଫରୱାର୍ଡ ଖେଳାଳି ଭାବେ ପରିଚିତ ସୁନିଲ ଭାରତ ପାଇଁ ୨୬୪ ମ୍ୟାଚ ଖେଳି ୭୨ ଗୋଲ ସ୍କୋର କରିଥିଲେ । ୨୦୧୧ ଏସିଆନ ଚାମ୍ପିଅନଶିରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ ।

ସେହିପରି ୨୦୧୪ ଓ ୨୦୧୮ ଏସିଆନ ଗେମ୍ସରେ ଭାରତ ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତି ଥିବା ବେଳେ ସେ ଦଳର ଅନ୍ୟତମ ସଦସ୍ୟ ଥିଲେ । ଏହା ବ୍ୟତି୍‌ତ ୨୦୧୭ ଏସିଆ କପ ବିଜେତା ଭାରତୀୟ ଦଳ ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଅନ୍ୟତମ ସଫଳତା ମଧ୍ୟରେ ୨୦୧୬ ଓ ୨୦୧୮ ଏଫଆଇଏଚ ଚାମ୍ପିଅନ୍ସ ଟ୍ରଫିରେ ଐତିହାସିକ ରୌପ୍ୟ ପଦକ ହାସଲ । ସେହିରି ୨୦୧୫ ଓ ୨୦୧୭ ବିଶ୍ୱ ଲିଗ ଫାଇନାଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ । ଏହା ସହିତ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ରୌପ୍ୟ ପଦକ ହାସଲ ଦିଗରେ ଉଲ୍ଲେଖନୀୟ ଭୂମିକା ଗହଣ କରିଥିଲେ । ଅବସର ଘୋଷଣା କରି ସୁନିଲ କହିଛନ୍ତି ଯେ ଦୀର୍ଘଦିନ ଧରି ଭାରତୀୟ ହକିର ସେବା କରିବା ପାଇଁ ସୁଯୋଗ ମିଳି ଥିବାରୁ ହକି ଇଣ୍ଡିଆକୁ କୃତଜ୍ଞତା ଜଣାଇଛନ୍ତି ।

୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଓ ୨୦୧୬ ରିଓ ଅଲିମ୍ପିକ୍ସରେ ଭାଗ ନେବା ସୁଯୋଗ ଅତି ସୌଭାଗ୍ୟର ବିଷୟ ବୋଲି ସୁନିଲ କହିଛନ୍ତି । ହକି ଇଣ୍ଡିଆର ସଭାପତି ଜ୍ଞାନେନ୍ଦ୍ରେ ନିଗାମ୍ବାମ କହିଛନ୍ତି ଯେ ସୁନିଲ ଭାରତୀୟ ହକି ଦଳର ଜଣେ ଆଗଧାଡି ଖେଳାଳି ଥିଲେ । ଭାରତୀୟ ହକି ପାଇଁ ତାଙ୍କର ମହତ ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ସବୁଠାରୁ ଗୁରୁତ୍ୱୂର୍ଣ୍ଣ ବିଷୟ ହେଲା ଯେ ଭାରତୀୟ ଦଳର ମୁଖ୍ୟ କୋଚ ଗ୍ରାହାମ ରିଡ୍‌ ୨୦୨୪ ପ୍ୟାରିସ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଯୁବ ଖେଳାଳିଙ୍କ ଉପରେ ଅଧିକ ଫୋକସ କରୁଛନ୍ତି । ତେଣୁ ଆଗାମୀ ଜାତୀୟ ଶିବିର ପାଇଁ ପ୍ରସ୍ତୁତ କରିଥିବା ଖେଳାଳି ତାଲିକାରେ ସୁଯୋଗ ପାଇବା ସମ୍ଭାବନା ନ ଥିବା ଖେଳାଳି ମାନେ ଧୀରେଧୀରେ ଅବସର ନେବା ଆରମ୍ଭ କରିଛନ୍ତି । ତେଣୁ ଦୁଇ ଦିନରେ ତିନି ଜଣ ପ୍ରମୁଖ ଖେଳାଳି ଅନ୍ତର୍ଜାତୀୟ ହକିକୁ ଅଲବିଦା ଜଣାଇ ଥିବା ବେଳେ ଆଗକୁ ଆହୁରି କେତେ ଜଣ ପୁରୁଖା ଖେଳାଳି ମଧ୍ୟ ଅବସର ନେବା ସୂଚନା ମିଳିଛି ।

Get real time updates directly on you device, subscribe now.