ଶାଢ଼ୀ ପିନ୍ଧା ମହିଳାଙ୍କୁ ମିଳିନଥିଲା ପ୍ରବେଶ, ଏବେ ବନ୍ଦ ହେଲା ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ଜଣେ ମହିଳାଙ୍କୁ ଶାଢ଼ୀ ପିନ୍ଧିଥିବା ଦର୍ଶାଇ ପ୍ରବେଶ ଅନୁମତି ଦେଇନଥିବା ରେଷ୍ଟୁରାଣ୍ଟରେ ପଡ଼ିଲା ତାଲା । ନଗର କର୍ତ୍ତୃପକ୍ଷଙ୍କ ଦ୍ୱାରା ଉକ୍ତ ରେଷ୍ଟୁରାଣ୍ଟକୁ ନୋଟିସ କରାଯିବାପରେ ବନ୍ଦ କରାଯାଇଛି ।

ଦକ୍ଷିଣ ଦିଲ୍ଲୀର ମୁନିସିପାଲ କର୍ପୋରେସନର ମେୟର ମୁକେଶ ସୁରୟାନ ସୂଚନା ଦେଇଛନ୍ତି । ସେ କହିଛନ୍ତି  ଅକିଲା ରେଷ୍ଟୁରାଣ୍ଟ ଉପଯୁକ୍ତ ଲାଇସେନ୍ସ ବିନା ଚାଲୁଥିଲା । ଏହା ସହ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଚଳାଇଥିବାର ଏହାକୁ ବନ୍ଦ କରାଯିବା ସହ ଫାଇନ ମଧ୍ୟ କରାଯାଇଛି  । ସେ ଆହୁରି କହିଛନ୍ତି ଯେ ଜନସ୍ୱାସ୍ଥ୍ୟ ନିରୀକ୍ଷକଙ୍କ ସୁରକ୍ଷା ଯାଞ୍ଚରୁ ଜଣାପଡ଼ିଥିଲା ଯେ ରେଷ୍ଟୁରାଣ୍ଟ ଉପଯୁକ୍ତ ଲାଇସେନ୍ସ ବିନା ତଥା ଅପରିଷ୍କାର ଅବସ୍ଥାରେ ଚାଲୁଥିଲା । ଏହା ସର୍ବସାଧାରଣ ଜମିରେ ନିର୍ମାଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଫଳରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଉଲ୍ଲେଖଯୋଗ୍ୟ ଗତ ସପ୍ତାହରେ ଜଣେ ମହିଳା ଶାଢ଼ୀ ପିନ୍ଧିଥିବାରୁ ଏହି ରେଷ୍ଟୁରାଣ୍ଟରେ ପ୍ରବେଶ ମିଳିନଥିଲା । ସୋସିଆଲ ମିଡିଆରେ ମହିଳା ଜଣକ ରେଷ୍ଟୁରାଣ୍ଟ ଷ୍ଟାଫଙ୍କ ସହ ଯୁକ୍ତି କରୁଥିବାର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ, ଯାହାକି ବେଶ୍ ଭାଇରାଲ ହୋଇଥିଲା ।