fbpx

ଭାରତରେ ସୃଷ୍ଟି ହେବ ଭୟଙ୍କର ବିଦ୍ୟୁତ ସଙ୍କଟ, ପାୱାର ପ୍ଲାଣ୍ଟରେ ଷ୍ଟକ୍ ରହିଛି ମାତ୍ର ୪ ଦିନର କୋଇଲା

ନୂଆଦିଲ୍ଲୀ: ଭାରତରେ ଚୀନ ଭଳି ଭୟଙ୍କର ବିଦ୍ୟୁତ ସଙ୍କଟ ସୃଷ୍ଟି ହେବାକୁ ଯାଉଛି । ଫଳରେ ଏହାର ପ୍ରଭାବରେ ଆଗକୁ ଦେଶରେ ଶିଳ୍ପ କାରବାର ଠପ୍ ହୋଇଯିବ । ବିଦ୍ୟୁତ ଉତ୍ପାଦନ ପାଇଁ ପାୱାର ପ୍ଲାଣ୍ଟଗୁଡ଼ିକରେ କୋଇଲା ଷ୍ଟକ୍ କମ୍ ହେବାକୁ ଲାଗିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଦେଶବ୍ୟାପୀ ପାୱାର ପ୍ଲାଣ୍ଟଗୁଡ଼ିକରେ ମାତ୍ର ୪ ଦିନର କୋଇଲା ଷ୍ଟକ ରହିଛି । ଅଗଷ୍ଟ ମାସ ଆରମ୍ଭରେ ୧୩ ଦିନ ପର୍ଯ୍ୟନ୍ତ ବିଦ୍ୟୁତ ଉତ୍ପାଦନଯୋଗ୍ୟ କୋଇଲା ଷ୍ଟକ୍ ରହିଥିଲା । ଦେଶରେ ପ୍ରାୟ ୭୦ ପ୍ରତିଶତ ବିଦ୍ୟୁତ କୋଇଲାରୁ ଉତ୍ପାଦିତ ହେଉଥିବାରୁ ବିଦ୍ୟୁତ ଦର ବର୍ତ୍ତମାନ ବଢ଼ିବାରେ ଲାଗିଛି । ଆଗକୁ ଆଉ କିଛି ମାସ ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ଅଧିକ ବିଦ୍ୟୁତ ଦର ଦେବାକୁ ପଡ଼ିପାରେ ।

ଚୀନ ଭଳି ଭାରତ ମଧ୍ୟ ଏବେ ଦୁଇଟି ପ୍ରମୁଖ ଚ୍ୟାଲେଞ୍ଜର ସାମନା କରୁଛି । କରୋନା ସଂକ୍ରମଣ କରିବା ପରେ ଶିଳ୍ପ ଗତିବିଧି ବୃଦ୍ଧି ପାଇଛି । ଫଳରେ ବିଦ୍ୟୁତ ଚାହିଦା କ୍ରମାଗତ ଭାବେ ବଢ଼ିଚାଲିଛି । ଏଥିସହ ଜାତୀୟସ୍ତରରେ କୋଇଲା ଉତ୍ପାଦନ କମିବାରେ ଲାଗିଛି । ଚଳିତ ବର୍ଷ ପ୍ରବଳ ବର୍ଷା କାରଣରୁ କୋଇଲା ଖଣିଗୁଡ଼ିକରେ ପାଣି ପଶିଯାଇଛି । ତେଣୁ ଗୁରୁତ୍ୱପୂର୍ଣ୍ଣ ପରିବହନ ରୁଟ୍ ପ୍ରଭାବିତ ହେବା ସହ କୋଇଲା ଯୋଗାଣ ବାଧାପ୍ରାପ୍ତ ହୋଇଛି । ବର୍ଷା ଯୋଗୁଁ ଖଣିରେ ପାଣି ପଶିଯିବା ଫଳରେ ୬୦ରୁ ୮୦ ହଜାର ଟନ୍ କମ୍ କୋଇଲା ମିଳୁଥିବା କୋଇଲା ସଚିବ ଅନିଲ କୁମାର ଜୈନ କହିଛନ୍ତି । ତେବେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା କୋଲ ଇଣ୍ଡିଆ ଲିମିଟେଡ ଉତ୍ପାଦନ ବୃଦ୍ଧି କରିବ ବୋଲି ସେ କହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.