fbpx

ସାଇକେଲ ଦୋକାନୀଙ୍କ ପୁଅ ପାଇଲେ OAS

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ କଠୋର ପରିଶ୍ରମ ଥିଲେ ପଙ୍ଗୁ ମଧ୍ୟ ଗିରି ଲଙ୍ଘିପାରେ । ଏକଥାକୁ ପ୍ରମାଣିତ କରିଛନ୍ତି ଜଣେ ସାଧାରଣ ଗରିବ ସାଇକେଲ ଦୋକାନୀଙ୍କ ପୁଅ । କୋରାପୁଟ ଜିଲ୍ଲାର ଉମାଶଙ୍କର କୋୟା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୨୭ତମ ସ୍ଥାନ ହାସଲ କରିଛନ୍ତି । ସହରର ଅମଲାକୁଟିର ରାସ୍ତା କଡ଼ରେ ଏକ ସାଇକେଲ ଦୋକାନ କରିଥିବା ଲକ୍ଷ୍ମଣ ନିଜେ ପରିଶ୍ରମ କରି ପୁଅ ଉମାଶଙ୍କରଙ୍କୁ ପାଠ ପଢ଼ାଇଥିଲେ । ଶେଷରେ ତାଙ୍କର ଶ୍ରମ ସାର୍ଥକ ହେବା ସହ ପୁଅ ଓଏଏସ୍ ପାଇଥିବା ଜଣାପଡ଼ିଛି ।

ଉମାଶଙ୍କର କୋରାପୁଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ୧୦ମ ପାସ୍ କରି ଟାଲେଣ୍ଟ କଲେଜରେ ଯୁକ୍ତଦୁଇ ବିଜ୍ଞାନ ପଢ଼ିଥିଲେ । ପୂର୍ବରୁ ଦୁଇ ଦୁଇଥର ଏହି ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହୋଇଥିଲେ ହେଁ ଉମାଶଙ୍କର ଭାଙ୍ଗି ନ ପଡ଼ି ପ୍ରୟାସ ଜାରି ରଖିଥିଲେ । ତେବେ କଠୋର ପରିଶ୍ରମ ଓ ନିଜ ଉପରେ ଅତୁଟ ବିଶ୍ୱାସ ତାଙ୍କୁ ତୃତୀୟ ଥରରେ ଏହି ସଫଳତା ଦେଇଥିବା ଉମାଶଙ୍କର ପ୍ରକାଶ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବନ୍ଧୁ, ପରିଜନ, ସାଙ୍ଗସାଥୀ ଓ ସ୍ଥାନୀୟ ଅଞ୍ଚଳବାସୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.