fbpx

କଶ୍ମୀରରେ କର୍ମଚାରୀଙ୍କୁ ଆତଙ୍କୀ ଗୁଳିର ଶିକାର ହେବାକୁ ଦେବେନି ସରକାର, ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ

ଶ୍ରୀନଗର : କଶ୍ମୀର ଘାଟିରେ ଗତ କିଛି ଦିନ ହେବ ଆତଙ୍କୀ ହମଲା ବୃଦ୍ଧି ଘଟିଛି । ଏଥିରେ ସାଧାରଣ ଜନତାଙ୍କ ସହ କର୍ମଚାରୀଙ୍କ ପାଇଁ ଭୟର ମାହୋଲ ସୃଷ୍ଟି ହୋଇଛି । ଗୋଟିଏ ପଟେ କେନ୍ଦ୍ର ଓ ଜମ୍ମୁ-କଶ୍ମୀର ସରକାର ବିସ୍ଥାପିତଙ୍କୁ ଘାଟିକୁ ଫେରାଇ ଆଣିବା କଥା କହୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀଙ୍କ ସକ୍ରିୟତା କାରଣରୁ ଲୋକେ ପୁନର୍ବାର ଘାଟିରୁ ପଳାୟନ କରିବାରେ ଲାଗିଛନ୍ତି । ତଥାପି ଜମ୍ମୁ-କଶ୍ମୀର ପ୍ରଶାସନ ଲୋକଙ୍କୁ ଲଗାତାର ଏହି ଆଶ୍ୱାସନ ଦେଉଛନ୍ତି ଯେ, ଏବେ ପଳାୟନ ପରି ସ୍ଥିତି ଉପୁଜିବ ନାହିଁ । ଏହା ମଧ୍ୟରେ ପ୍ରଶାସନ ପ୍ରବାସୀ କର୍ମଚାରୀଙ୍କୁ ଦୂର ଏବଂ ସମ୍ବେଦନଶୀଳ ସ୍ଥାନ ବଦଳରେ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଜମ୍ମୁ-କଶ୍ମୀରରେ ନିକଟରେ ଘଟିଥିବା କିଛି ଆତଙ୍କବାଦୀ ଘଟଣା ପରେ ଶିକ୍ଷକ ସମେତ ଅନ୍ୟ ସରକାରୀ କର୍ମଚାରୀ ମହଲରେ ଭୟର ମାହୋଲ ରହିଛି । ଏମାନଙ୍କ ମଧ୍ୟରୁ ଅନେକ ଘାଟି ବାହାରକୁ ଟ୍ରାନ୍ସଫର କରିବାକୁ ଦାବି କରିଛନ୍ତି । ଆଉ କିଛି ସୁରକ୍ଷା ଚିନ୍ତା କାରଣରୁ କାମକୁ ଆସୁ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ କର୍ମଚାରୀଙ୍କୁ ଦୂର ଏବଂ ସମ୍ବେଦନଶୀଳ ସ୍ଥାନରେ ପୋଷ୍ଟିଂ ନକରିବାକୁ ନିର୍ଣ୍ଣୟ ନେଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରାୟ ତିନି ହଜାର ପ୍ରବାସୀ କର୍ମଚାରୀ କଶ୍ମୀରର ଅନେକ ଜିଲ୍ଲାରେ ବିଭିନ୍ନ ପଦରେ କାମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସରକାରୀ ବାସଭବନରେ ରହୁଛନ୍ତି । ଏହି ସବୁ ବାସଭବନର ସୁରକ୍ଷା ପୋଲିସ କରୁଛନ୍ତି । ମାତ୍ର ଗତ ଦିନରେ ପାଞ୍ଚ ସାଧାରଣ ଜନତା ବିଶେଷ କରି ଦୁଇ ଜଣ ଶିକ୍ଷକଙ୍କ ହତ୍ୟା ପରେ କଶ୍ମୀରରେ କାମ କରୁଥିବା ଅନେକ ପ୍ରବାସୀ କର୍ମଚାରୀ ଜମ୍ମୁ ପଳାଇ ଯାଇଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ, ପ୍ରବାସୀ କର୍ମଚାରୀଙ୍କୁ ବର୍ତ୍ତମାନ ଦୂର ଏବଂ ସମ୍ବେଦନଶୀଳ କ୍ଷେତ୍ରରେ ପୋଷ୍ଟିଂ କରାନଯାଉ । ସେମାନଙ୍କୁ ଏବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉ । ସୂଚନାଯୋଗ୍ୟ, ଗତ ସପ୍ତାହରେ ଆତଙ୍କବାଦୀଙ୍କ ଦ୍ୱାରା ଜଣେ ଶିଖ ସ୍କୁଲ ପ୍ରିନ୍ସିପାଲ ଏବଂ କଶ୍ମୀରୀ ହିନ୍ଦୁ ଶିକ୍ଷକଙ୍କ ମୃତ୍ୟୁ ପରେ କର୍ମଚାରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।

 

 

Get real time updates directly on you device, subscribe now.