ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ ଯୋଗୁଁ ଦଳ ସେମି ଫାଇନାଲରେ ପହଞ୍ଚିବାକୁ ସଂଘର୍ଷ କରୁଛି । ଦଳ ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ବରଣ କରିବା ପରେ ଆଗାମୀ ୩ଟି ମ୍ୟାଚ ଖେଳିବାକୁ ବାକି ଅଛି । ଭାରତ ତିନୋଟି ମ୍ୟାଚରେ ବଡ଼ ବ୍ୟବଧାନରେ ଜିତିବା ସହ ନ୍ୟୁଜିଲାଣ୍ଡ ତା’ର ଯେ କୌଣସି ଗୋଟିଏ ମ୍ୟାଚରେ ହାରିଲେ ହିଁ ଭାରତ ପାଇଁ ସେମି ସୁଯୋଗ ସୃଷ୍ଟି ହୋଇପାରେ । ତେଣୁ ଦଳ ନିଜର ବିଶ୍ୱକପ ଅଭିଯାନକୁ ନେଇ ଏକପ୍ରଚାର ଚାପରେ ରହିଥିବା କୁହାଯାଉଛି ।
ତେବେ ଏହି ଅବସରରେ ବିସିସିଆଇ ତରଫରୁ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖବର ଆସିଛି । ପ୍ରଥମ ଦୁଇଟି ମ୍ୟାଚରେ ଟିମ୍ ଇଣ୍ଡିଆ ପରାସ୍ତ ହେବା ପରେ ବିସିସିଆଇ ଆଦୌ ସନ୍ତୁଷ୍ଟ ନଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେଣୁ ଏହାର ବହୁମୂଲ୍ୟ ଦେବାକୁ ପଡ଼ିପାରେ ବିରାଟଙ୍କୁ । ପୂର୍ବରୁ ଟି-୨୦ରୁ ବିରାଟ ପଦ ଛାଡ଼ିବା ଏକପ୍ରକାର ସ୍ଥିର ହୋଇସାରିଛି । ଏବେ ଏକଦିବସୀୟରୁ ମଧ୍ୟ ତାଙ୍କୁ ବିଦା କରିବାର ଯୋଜନା କରୁଛି ବିସିସିଆଇ । କୋହଲିଙ୍କ ଦୁର୍ବଳ ନେତୃତ୍ୱକୁ ଆଧାର କରି ବିସିସିଆଇ ତାଙ୍କୁ ଦିନିକିଆରୁ ହଟାଇବାକୁ ଯୋଜନା କରୁଛି । ଦଳର ନିମ୍ନମାନର ପ୍ରଦର୍ଶନକୁ ନେଇ ବୋର୍ଡ ଆଦୌ ଖୁସି ନାହିଁ । ତେବେ ଆଗାମୀ ମ୍ୟାଚଗୁଡ଼ିକର ପ୍ରଦର୍ଶନ ପରେ ବୋର୍ଡ ଯାହା କିଛି ନିଷ୍ପତ୍ତି ନେଇପାରେ ବୋଲି ଅନୁମାନ କରାଯାଉଛି । ତେବେ ବିରାଟଙ୍କ ପରେ ରୋହିତ ଶର୍ମାଙ୍କୁ କି ଆଉ କାହାକୁ ଅଧିନାୟକ ପଦ ଦିଆଯିବ, ସେନେଇ ଏବେ ଠାରୁ କହିହେବ ନାହିଁ । ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ନୂଆ କୋଚ ଭାବେ ରାହୁଲ ଦ୍ରାବିଡ଼ ଦାୟିତ୍ୱ ନେଇପାରନ୍ତି । ସେ ସମୟରେ ଅଧିନାୟକ ପରିବର୍ତ୍ତନ ବିଷୟ ମଧ୍ୟ ଉଠିପାରେ । ତେଣୁ ଟି-୨୦ ଓ ଦିନିକିଆର ଦାୟିତ୍ୱ କଢ଼ାଯାଇ ବିରାଟଙ୍କ ହାତରେ କେବଳ ଟେଷ୍ଟ ଦାୟିତ୍ୱ ରହିପାରେ । ବିରାଟ ୨୦୧୭ ଚାମ୍ପିୟନ୍ସ ଟ୍ରଫି, ୨୦୧୯ ବିଶ୍ୱକପ୍, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ-୨୦୨୧ ପରି ତିନି ତିନିଟି ଆଇସିସିର ଇଭେଣ୍ଟର ଦାୟିତ୍ୱ ନେଇସାରିଥିଲେ ହେଁ ଗୋଟିଏ ହେଲେ ବି ଟ୍ରଫି ହାତେଇ ପାରିନାହାନ୍ତି । ପୂର୍ବର ଦୁର୍ବଳ ନେତୃତ୍ୱ ସାଙ୍ଗକୁ ଚଳିତ ଟି-୨୦ ବିଶ୍ୱକପରେ ଦଳର ଲଜ୍ଜାଜନକ ପରାଜୟ ପାଇଁ ତୀବ୍ର ସମାଲୋଚନାର ଶିକାର ହେଉଛନ୍ତି ବିରାଟ ।