fbpx

ପାକିସ୍ତାନରେ ପେଟ୍ରୋଲ ଲିଟର୍ ୧୪୫ ଟଙ୍କା, ଚିନି କିଲୋ ପିଛା ୧୫୦ ଟଙ୍କା; ଇମ୍ରାନ ସରକାରଙ୍କୁ ଟାର୍ଗେଟ୍ କଲେ ବିପକ୍ଷ

ନୂଆଦିଲ୍ଲୀ: ପାକିସ୍ତାନରେ ମୂଦ୍ରାସ୍ପୀତି ଲଗାତର ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଦେଶର ସମ୍ବେଦନଶୀଳ ମୂଲ୍ୟ ସୁଚକାଙ୍କ(ଏସପିଆଇ)ରେ ୦.୬୭ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ସାପ୍ତାହିକ ମୂଦ୍ରାସ୍ପୀତି ମଧ୍ୟ ଅକ୍ଟୋବରରେ ୧.୨୯ ପ୍ରତିଶତ ବୃଦ୍ଧି ହୋଇଥିବା ରିପୋର୍ଟ ହୋଇଛି । ଅନ୍ୟପଟେ ଖାଦ୍ୟ ପଦାର୍ଥର ଦରଦାମ୍ ଏବେ ଦେଶରେ ଆକାଶଛୁଆଁ ହୋଇଛି । ତେଣୁ ଏହି ଦରଦାମ୍ ବୃଦ୍ଧିକୁ ଆଖି ଆଗରେ ରଖି ବିପକ୍ଷ ମାନେ ଇମ୍ରାନ୍ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ରିପୋର୍ଟ ମୁତାବକ, ସାପ୍ତାହିକ ମୂଦ୍ରାସ୍ପୀତି ମୂଖ୍ୟ ରୂପରେ ଯେଉଁ ଯେଉଁ ଜିନିଷର ଦାମ୍ ବୃଦ୍ଧି ହୋଇଛି ସେଗୁଡ଼ିକ ହେଲା ଟମାଟ ୧୯.୨୩ ପ୍ରତିଶତ, ଚିନି ୫.୩୨ ପ୍ରତିଶତ, ସୋରିଷ ତେଲ ୩.୭୪ ପ୍ରତିଶତ, ଏଲପିଜି ଦର ୩.୨୩ ପ୍ରତିଶତ ସାମିଲ ରହିଛି । ପେଟ୍ରୋଲର ମୂଲ୍ୟ ୮.୦୩ ପ୍ରତିଶତ ବୃଦ୍ଧି କରିବାକୁ ଇମ୍ରାନ ସରକାର ମଧ୍ୟ ଘୋଷଣା କରିଛନ୍ତି। ପେଟ୍ରୋଲ ଅପେକ୍ଷା ଚିନିର ମୂଲ୍ୟ ମହଙ୍ଗା ହୋଇଥିବାବେଳେ ଏହା ଦେଶରେ କିଲୋ ପିଛା ୧୫୦ ଟଙ୍କାରେ ବିକ୍ରି ହେଉଛି।

ଏଥିପାଇଁ ବିରୋଧୀ ଦଳ ଇମ୍ରାନ ସରକାରଙ୍କୁ ଦାୟୀ କରି ସଂସଦରେ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀ ଦଳର ନେତା ଶାହାବାଜ ସରିଫ (ପିଏମଏଲ-ଏନ) ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସଭାପତି ବିଲାୱାଲ ଭୁଟ୍ଟୋ ଜାରଦାରୀଙ୍କ ସହ ଆଲୋଚନା କରି ପେଟ୍ରୋଲିୟମ ଉତ୍ପାଦ ଉପରେ ତୁରନ୍ତ ଦାମ୍ ହ୍ରାସ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳର ଶାଜିଆ ମୈରୀ ମଧ୍ୟ ଇମ୍ରାନ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ପାକିସ୍ତାନରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୪୫.୮୨ ଟଙ୍କାକୁ ବୃଦ୍ଧି ପାଇଛି। ହୋଲସେଲ ବଜାରରେ ଚିନି ମୂଲ୍ୟ କିଲୋଗ୍ରାମ ପିଛା ୮ ଟଙ୍କା ବୃଦ୍ଧି ପାଇଛି। ଚିନି ଭେଣ୍ଡର ଆସୋସିଏସନର ସଭାପତି କହିଛନ୍ତି ଯେ ଚିନି ୧୪୦ କିଲୋଗ୍ରାମରେ ବିକ୍ରି ହେଉଥିବାବେଳେ ଖୁଚୁରା ବଜାରରେ ଏହାର ମୂଲ୍ୟ କିଲୋଗ୍ରାମ ୧୪୫ ରୁ ୧୫୦ ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ, ମଇଦା, ତେଲ, ଡାଲି ସମେତ ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ଦେଶରେ ମହଙ୍ଗା ହୋଇଛି।

 

Get real time updates directly on you device, subscribe now.