ପୋରବନ୍ଦର୍: ଗୁଜୁରାଟ ପୋଲିସ୍ ତଟବର୍ତ୍ତୀ ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଭାରତୀୟ ମତ୍ସଜୀବୀଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଗୁଜୁରାଟ ପୋଲିସ୍ ପାକିସ୍ତାନ ନୌବାଣିଜ୍ୟ ସୁରକ୍ଷା ଏଜେନ୍ସି(ପିଏମଏସଏ)ର ୧୦ ଜଣ କର୍ମୀଙ୍କ ବିରୋଧରେ ହତ୍ୟା ଓ ହତ୍ୟା କରିବାକୁ ପ୍ରୟାସ କରିଥିବା ଅଭିଯୋଗ ଆଣିଛି । ପୋଲିସ୍ ବିଭାଗର ଜଣେ ଅଧିକାରୀ ସୋମବାର ଦିନ ଏନେଇ ସୂଚନା ଦେଇଛନ୍ତି । ଶନିବାର ଦିନ ଗୁଜୁରାଟର ଆରବ ସାଗର ତଟବର୍ତ୍ତୀ ଅଞ୍ଚଳରେ ପିଏମଏସଏ ର କର୍ମୀ ମାନେ ଜଣେ ଭାରତୀୟ ମତ୍ସଜୀବୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ସେହିପରି ଅନ୍ୟଜଣେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।
ତେବେ ଏହି ଘଟଣାକୁ ନେଇ ପାକିସ୍ତାନ ବିରୋଧରେ ଭାରତ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅଧିକାରୀ । ଏହି କ୍ରମରେ ପିଏମଏସଏ ର ୧୦ ଜଣ କର୍ମୀଙ୍କ ବିରୋଧରେ ପୋରବନ୍ଦର ଜିଲ୍ଲା ନବୀବନ୍ଦର ପୋଲିସ୍ ଷ୍ଟେସନ୍ ରେ ମାମଲା ରୁଜୁ କରାଯାଇଛି । ଭାରତୀୟ ଦଣ୍ଡ ସଂହିତା ଧାରା ୩୦୨( ହତ୍ୟା), ୩୦୭(ହତ୍ୟା କରିବାକୁ ପ୍ରୟାସ) ଏବଂ ୧୧୪ ବ୍ୟତୀତ ଅଧିନିୟମ ସମ୍ବନ୍ଧିତ ଧାରା ଅଧୀନରେ ମାମଲା ରୁଜୁ କରାଯାଇଛି ।
ଏହି ଘଟଣା ଶନିବାର ରାତି ପ୍ରାୟ ୪ ଟା ସମୟରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ଘଟିଛି । ମୃତ ମତ୍ସଜୀବୀଙ୍କ ନାମ ଶ୍ରୀଧର ରମେଶ (୩୨) ହୋଇଥିବା ଜଣାପଡ଼ିଛି । ତେବେ ଅନ୍ୟ ଜଣେ ଆହତ ହୋଇଥିବା ମତ୍ସଜୀବୀଙ୍କୁ ଗୁଜୁରାଟ ଓଖାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ରିପୋର୍ଟ ଅନୁସାରେ ମାଛ ଧରିବା ପାଇଁ ଡଙ୍ଗାରେ ୭ ଜଣ ଅକ୍ଟୋବର ୨୫ ତାରିଖରେ ସମୁଦ୍ର ଭିତରକୁ ଯାଇଥିଲେ ।