ନୂଆଦିଲ୍ଲୀ: ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ମୁଖ୍ୟ ଭାଇସ ଆଡମିରାଲ ଆର ହରି କୁମାରଙ୍କୁ ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ସେ ଆସନ୍ତା ୩୦ରେ ବର୍ତ୍ତମାନ ନୌସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆଡମିରାଲ କରମବୀର ସିଂହଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ଆର ହରି କୁମାର ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର କମାଣ୍ଡିଂ ଇନ ଚିଫ ଭାବେ କାର୍ଯ୍ୟ କରୁଛନ୍ତି ।
ନୌସେନାର କାର୍ଯ୍ୟନିର୍ବାହୀ ବ୍ରାଞ୍ଚରେ ହରି କୁମାର ୧୯୮୩ ମସିହା ଜାନୁଆରୀ ୧ରେ ନିଯୁକ୍ତ ପାଇଥିଲେ । ଏହି ୩୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ନୌସେନାର ବିଭିନ୍ନ ପଦପଦବୀରେ କାମ କରିଛନ୍ତି । ସେ ଆଇଏନଏସ୍ ବିରାଟ ଓ ମିସାଇଲ ବିଧ୍ୱଂସକାରୀ ଆଇଏନଏସ୍ ରଣବୀରର ପରିଚାଳନା ଦାୟିତ୍ୱ ସମ୍ପାଦନ କରିଛନ୍ତି । ଏହା ବ୍ୟତୀତ ଆର ହରି କୁମାର ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ତେଣୁ ତାଙ୍କୁ ନୌସେନାର ମୁଖ୍ୟ ଭାବେ ନିଯୁକ୍ତି ମିଳିଛି । ୩୦ ତାରିଖ ମଧ୍ୟାହ୍ନରୁ ସେ ନୌସେନା ମୁଖ୍ୟ ଭାବେ କାମ ଆରମ୍ଭ ରକିବେ । ଅନ୍ୟପକ୍ଷରେ ଭାରତୀୟ ପୁଲିସ ସେବା ବିଭାଗର ବରିଷ୍ଠ ଅଧିକାରୀ ସେଲ ବର୍ଦ୍ଧନ ସିଂହ ଓ ଅତୁଲ କରୱାଲଙ୍କୁ ଯଥାକ୍ରମେ ସିଆଇଏସଏଫ ଏବଂ ଏନଡିଆରଏଫର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି । ୧୯୮୬ ବ୍ୟାଚର ବିହାର କ୍ୟାଡର ଆଇପିଏସ୍ ଶ୍ରୀ ସିଂହ ବର୍ତ୍ତମାନ ଇଣ୍ଟେଲିଜେନ୍ସ ବ୍ୟୁରୋରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି । ସେ ୨୦୨୩ ମସିହା ଅଗଷ୍ଟ ୩୧ ଯାଏ ସିଆଇଏସ୍?ଏଫର ମହାନିର୍ଦ୍ଦେଶକ ଭାବେ କରିବେ । ସେହିରି ୧୯୮୮ ବ୍ୟାଚ୍ ଗୁଜୁରାଟ କ୍ୟାଡର ଆଇପିଏସ୍ ଶ୍ରୀ କରୱାଲଙ୍କୁ ଏନଡିଆରଏଫର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି । କରୱାଲ ବର୍ତ୍ତମାନ ହାଇଦ୍ରାବାଦରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।