fbpx

କେହି ବୁଝୁନାହାନ୍ତି ଦୁଃଖ: ମାଓବାଦୀଙ୍କ ପାଖରେ ବନ୍ଧା ପଡ଼ିଛନ୍ତି ସ୍ୱାମୀ, ତିନି ବର୍ଷର ଛୁଆକୁ ଧରି ଜଙ୍ଗଲରେ ବୁଲୁଛନ୍ତି ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟେ ସ୍ୱାମୀ ମାଓବାଦୀଙ୍କ କବଳରେ ବନ୍ଧା ପଡ଼ିଥିବା ବେଳେ ଅନ୍ୟପଟେ ତିନି ବର୍ଷର ଶିଶୁ ପୁତ୍ରକୁ ଧରି ଜଙ୍ଗଲରେ ଘୁରି ବୁଲୁଛନ୍ତି ପତ୍ନୀ । ଗତ କିଛି ଦିନ ଧରି ପତ୍ନୀ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିବା ସହ ଏନେଇ ବିଜାପୁର ଏସପି କେ.କାଶ୍ୟପଙ୍କୁ ଗୁହାରି କରିଥିଲେ । ମାତ୍ର ପୋଲିସ ଏନେଇ କୌଣସି ପଦକ୍ଷେପ ନନେବାରୁ ସେ ବାଧ୍ୟ ହୋଇ ଗଣମାଧ୍ୟମରେ ନିଜର ଦୁଃଖ ବର୍ଣ୍ଣନା କରିଥିଲେ । ତେବେ ସବୁଆଡ଼ୁ ନିରାଶ ହୋଇ ଶେଷରେ ମହିଳା ଜଣଙ୍କ ନିଜର ଛୁଆକୁ ଧରି ଜଙ୍ଗଲରେ ଯାଉଥିବା ଦୃଶ୍ୟ ସାମନାକୁ ଆସିଛି ।

ଜଣାପଡ଼ିଛି ଯେ, ଗତ ଗୁରୁବାର ଦିନ ବିଜାପୁର ଜିଲ୍ଲାରେ ନିର୍ମାଣାଧୀନ ଏକ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ ସବଇଞ୍ଜିନିୟର ଅଜୟ ରୋଷନ ଲାକ୍ରା ଓ ତାଙ୍କର ସହଯୋଗୀ ଲକ୍ଷ୍ମଣ ପ୍ରତୁଗିରି । ଏହି ସମୟରେ ମନକେଲି ଅଞ୍ଚଳରେ ୨୦ରୁ ୨୫ ଜଣ ମାଓବୀଦୀ ସେମାନଙ୍କୁ ଅପହରଣ କରିନେଇଥିଲେ । ତେବେ ମାଓବାଦୀଙ୍କ କବଳରୁ ମୁକ୍ତି ପାଇବା ପରେ ପୋଲିସକୁ ସମସ୍ତ କଥା କହିଛନ୍ତି ଲକ୍ଷ୍ମଣ । ଅପହୃତ ସବଇଞ୍ଜିନିୟର ଅଜୟଙ୍କୁ ମୁକୁଳାଇବା ପାଇଁ ପୋଲିସ ପ୍ରୟାସ ଜାରି ରଖିଥିବା କହିଛନ୍ତି ଏସପି କାଶ୍ୟପ ।

Get real time updates directly on you device, subscribe now.