fbpx

ସେନାର ଯବାନ ପାକିସ୍ତାନୀ ମହିଳାଙ୍କୁ ଦେଉଥିଲେ ଦେଶର ଗୁପ୍ତ ଖବର, ଧରିଲା ଏଟିଏସ୍

ପାଟନା: ସେନାରେ ପୁଣିଥରେ ହନିଟ୍ରାପ୍ ମାମଲା ସାମ୍ନାକୁ ଆସିଛି । ଜଣେ ଭାରତୀୟ ଯବାନ ପାକିସ୍ତାନୀ ମହିଳାଙ୍କ କଥାରେ ଫସି ସେନା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଥିଲେ । ଏହାର ସୂଚନା ଆଣ୍ଟି ଟେରୋଜିମ୍ ସ୍କ୍ୱାର୍ଡକୁ ଜଣାପଡିବା ମାତ୍ରେ ସେମାନେ ଯବାନଙ୍କୁ ଗିରଫ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଯବାନ ଜଣକ ବିହାରର ବାସିନ୍ଦା । ସେ ଛୁଟିରେ ଘରକୁ ଯାଇଥିବା ବେଳେ ଏଟିଏସ୍ ତାଙ୍କୁ ଗିରଫ କରିଛି । ପଚରାଉଚରା ପରେ ଅଭିଯୁକ୍ତ ଯବାନ ପାକିସ୍ତାନୀ ମହିଳାଙ୍କ କଥାରେ ଫସି ସୂଚନା ଦେଇଥିବା ସ୍ୱୀକାର କରିଛନ୍ତି । ଗିରଫ ଯବାନଙ୍କ ନାଁ ଗଣେଶ କୁମାର କୁହାଯାଉଥିବା ବେଳେ ସେ ପୁଣେରେ ପୋଷ୍ଟିଂ ଥିଲେ । ନିକଟରେ ହିଁ ତାଙ୍କର ପୋଷ୍ଟିଂ ଯୋଧପୁରରୁ ପୁଣେକୁ ହୋଇଥିଲା । ଯବାନଙ୍କ ଉପରେ ଭାରତୀୟ ସେନା ଜଡିତ ପ୍ରମାଣପତ୍ର ପାକିସ୍ତାନୀ ମହିଳାଙ୍କୁ ଦେବାର ଅଭିଯୋଗ ରହିଛି ।

ତେବେ ଗଣେଶ ଫେସବୁକ୍ ଜରିଆରେ ଜଣେ ପାକିସ୍ତାନୀ ମହିଳାଙ୍କ ଜାଲରେ ଫସିଥିଲେ । ଧିରେ ଧିରେ କଥା ହୋଇ ସେମାନେ ବନ୍ଧୁ ହୋଇଗଲେ । ଦୁହେଁ ପରସ୍ପରର ନମ୍ବର ନେଇ ଫୋନ ଜରିଆରେ କଥା ହୋଇଥିଲେ । ମହିଳା ଗଣେଶଙ୍କୁ ଏପରି ଜାଲରେ ଫସାଇଥିଲେ ଯେ, ସେ ସେନା ସହ ଜଡିତ ସମସ୍ତ ପ୍ରମାଣପତ୍ର ମହିଳାଙ୍କୁ ଦେଇଥିଲେ । ପାକିସ୍ତାନୀ ମହିଳା ନିଜକୁ ଭାରତୀୟ ଡିଫେନ୍ସର ଡାକ୍ତର ଭାବେ ପରିଚୟ ଦେଇଥିଲେ ।

କୌଣସି ଯବାନ ପାକିସ୍ତାନ ଏଜେଣ୍ଟକୁ ଭାରତୀୟ ସେନା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଥିବା ନେଇ ଅନେକ ଦିନ ଧରି ଇଣ୍ଟେଲିଜେନ୍ସିକୁ ସନ୍ଦେହ ହୋଇଥିଲା । ଏହାପରେ ଛାନଭିନ୍ ହେବାରୁ ଏହି ସବୁୁ ପଛରେ ଗଣେଶଙ୍କ ହାତ ଥିବା ଜଣାପଡିଲା । ଗଣେଶ ଛୁଟିରେ ଯାଇଥିବା ବେଳେ ଏଟିଏସ୍ ଟିମ୍ ତାଙ୍କୁ ଗିରଫ କରିଥିଲା ଓ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା ।

Get real time updates directly on you device, subscribe now.