fbpx

ଭାରତୀୟ ରେଳବାଇର ବଡ ଘୋଷଣା: ଏତିକି ଟଙ୍କା ଶସ୍ତା ହେବ ରେଳଯାତ୍ରା!

ନୂଆଦିଲ୍ଳୀ: ଦେଶରେ ଖୁବଶୀଘ୍ର ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବାକୁ ଯାଉଛି । ମହାମାରୀ ପୂର୍ବ ସମୟ ଭଳି ଟ୍ରେନ୍ ଚାଲିବ । କୋଭିଡ୍ ସ୍ୱତନ୍ତ୍ର ମେଲ ଓ ଏକ୍ସପ୍ରେସ୍ ଟ୍ରେନର ଚଳାଚଳ ବନ୍ଦ କରିବାକୁ ଗତ ସପ୍ତାହରେ ରେଳବାଇ ନିଷ୍ପତ୍ତି ନେଇଥିଲା । ଏହି ଟ୍ରେନଗୁଡ଼ିକର ଟିକଟ ଦାମ୍ ସ୍ୱାଭାବିକ ସମୟ ତୁଳନାରେ ଅଧିକ ରହୁଥିଲା । ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେଲେ ଭଡ଼ାରେ ୧୫% ପର୍ଯ୍ୟନ୍ତ ହ୍ରାସ ହୋଇପାରେ ବୋଲି କୁହାଯାଉଛି । ମହାମାରୀ ପୂର୍ବ ସମୟରେ ଟ୍ରେନ୍ ଟିକଟ ମୂଲ୍ୟ ଯାହା ଥିଲା ସେହି ସ୍ଥିତି ଶୀଘ୍ର ଫେରିବ । ଏହା ହେଲେ ପ୍ରାୟ ୧୭୦୦ଟି ଟ୍ରେନର ଯାତ୍ରୀ ଭଡ଼ା ହ୍ରାସ ପାଇବ । ମହାମାରୀ ବ୍ୟାପିବା ପରେ ଏହି ସବୁ ଟ୍ରେନ୍ କୋଭିଡ ସ୍ୱତନ୍ତ୍ର ମେଲ୍ କିମ୍ବା ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ କରୁଥିଲା ।
କିଛି ସ୍ୱଳ୍ପ ଦୂରଗାମୀ ଯାତ୍ରୀବାହୀ ଟ୍ରେନକୁ ମଧ୍ୟ ସ୍ୱତନ୍ତ୍ର ବର୍ଗରେ ରଖାଯାଇଥିଲା ଯାହାର ଟିକଟ ମୂଲ୍ୟ ଅଧିକ ରହୁଥିଲା । ଯଦିଓ ଟ୍ରେନ ସାରଣୀ କୋଭିଡ ପୂର୍ବବର୍ତ୍ତୀ ସମୟକୁ ଫେରିଛି, ତଥାପି ରିହାତିରେ କଟକଣା, ଭୋଜନ ସେବା ଏବଂ ବେଡ୍ ରୋଲ୍ ସେବା ଆଦି ଉପରେ କିଛି ଦିନ ପାଇଁ କୋଭିଡ୍-୧୯ ସମ୍ପର୍କିତ କଟକଣା ଜାରି ରଖିବାକୁ ରେଳବାଇ ଚାହୁଛି । ରେଳ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସ୍ୱତନ୍ତ୍ର କିମ୍ବା ଛୁଟିଦିନ ସ୍ପେସାଲ୍ ଭାବେ ଚଳାଚଳ କରୁଥିବା ଟ୍ରେନଗୁଡ଼ିକର ଦ୍ୱିତୀୟ ଶ୍ରେଣୀ ପୂର୍ବଭଳି ସଂରକ୍ଷିତ ବର୍ଗରେ ରହିବ । କେବଳ କିଛି ନିର୍ଦିଷ୍ଟ ମାମଲାରେ ଏହି କଟକଣା କୋହଳ କରାଯିବ । ତେବେ ଜୋନ୍ ରେଲୱେ ସ୍ତରରେ କେବେ ସବୁ କିଛି କୋଭିଡ୍ ପୂର୍ବ ସମୟ ଭଳି ସ୍ଥିତିକୁ ଫେରିବ ତାହା ସ୍ପଷ୍ଟ ହୋଇନାହିଁ । ଚଳିତ ବର୍ଷ ରେଳବାଇ ଯାତ୍ରୀବାହୀ ଟ୍ରେନରୁ ବେଶ ଭଲ ଆୟ କରିଛି । ୨୦୨୧-୨୨ର ଦ୍ୱିତୀୟ ତ୍ରୟମାସରେରେ ଏହି ଟ୍ରେନରୁ ହେଉଥିବା ଆୟରେ ୧୧୩% ବୃଦ୍ଧି ହୋଇଥିବା କୁହାଯାଉଛି ।

Get real time updates directly on you device, subscribe now.