fbpx

ଏବେ ରାଜନୀତି ଆଖଡାରେ ଦମ୍ ଦେଖାଇବେ ଖଲି ? କେଜ୍ରିୱାଲଙ୍କ ସହ ସାକ୍ଷାତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ : ରାଜନୀତି ମଇଦାନରେ ଏବେ ଦମ୍ ଦେଖାଇବେ ୱାର୍ଲ୍ଡ ରେସଲିଂ ଏଣ୍ଟରଟେନମେଣ୍ଟ(ଡବ୍ଲ୍ୟୁଡବ୍ଲ୍ୟୁଇ)ର ଷ୍ଟାର ଦ ଗ୍ରେଟ୍ ଖଲି ନାମରେ ପ୍ରସିଦ୍ଧ ଦଲୀପ ସିଂହ ରାଣା । ଖଲିଙ୍କ ରାଜନୀତିରେ ପାଦ ଦେବା ନେଇ ଏଥିପାଇଁ ଚର୍ଚ୍ଚା ଜୋର ଧରିଛି କାରଣ ସେ ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । କେଜ୍ରିୱାଲ୍ ଟ୍ୱିଟ୍ କରି ଉଭୟଙ୍କ ସାକ୍ଷାତର ଫଟୋ ସେୟାର କରିଛନ୍ତି । କେଜ୍ରିୱାଲ ଲେଖିଛନ୍ତି, ଖଲିଙ୍କୁ ଦିଲ୍ଲୀ ସରକାରଙ୍କ କାମ ବହୁତ ପସନ୍ଦ ଆସିଛି । ଏମିତିରେ କଳ୍ପନାଜଳ୍ପନା ଆରମ୍ଭ ହୋଇ ଯାଇଛି ଯେ, ଖଲି ନିର୍ବାଚନୀ ଆଖଡାରେ ଶୀଘ୍ର ପାଦ ଦେଇ ପାରନ୍ତି ।

ସୂଚନା ଅନୁଯାୟୀ, କେଜ୍ରିୱାଲଙ୍କ ସହ ସାକ୍ଷାତ ସମୟରେ ଖଲି କେବଳ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ସରକାରଙ୍କ କାମକୁ ପ୍ରଶଂସା କରି ନାହାନ୍ତି ବରଂ ଭବିଷ୍ୟତରେ ସରକାରଙ୍କ ପ୍ରୟାସରେ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ସମୟରେ ଦିଲ୍ଲୀର ବିଧାୟକ ଜରନେଲ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

 

କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, ଆଜି ମୋର ଭେଟ ଏମିତି ଜଣେ ପହିଲମାନଙ୍କ ସହ ହୋଇଛି ଯିଏ ଭାରତକୁ ପୂରା ଦୁନିଆରେ ପ୍ରସିଦ୍ଧ କରାଇଛନ୍ତି । ତାଙ୍କୁ ଦିଲ୍ଲୀରେ ବିଜୁଳି, ପାଣି, ସ୍କୁଲ ଓ ହସ୍ପିଟାଲ ଉପରେ ହୋଇଥିବା କାମ ବେଶ୍ ପସନ୍ଦ ଆସିଛି । ଏହି ସବୁ କାମ ଆମେ ପଞ୍ଜାବରେ କରିବାକୁ ଚାହୁଁଛୁ । ଆମେ ଏକାଠି ମିଶି ପଞ୍ଜାବରେ ବଡ ପରିବର୍ତ୍ତନ ଆଣିବା । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ, କେଜ୍ରିୱାଲଙ୍କ ସହ ଆଲୋଚନା ସମୟରେ ଖଲି ଦିଲ୍ଲୀର ବିକାଶ ମୋଡେଲକୁ ଦେଶର ଅନ୍ୟ ଅଞ୍ଚଳ ସହ ତୂଳନା କରିଛନ୍ତି । ଖଲିଙ୍କୁ ଦିଲ୍ଲୀ ମୋଡେଲ ବହୁତ ପସନ୍ଦ ଆସିଥିବା କୁହାଯାଇଛି ।

ଖଲି କହିଛନ୍ତି, ସେ ସମାଜର ଉନ୍ନତି ପାଇଁ କେଜ୍ରିୱାଲ ସରକାରଙ୍କ ଯଥା ସମ୍ଭବ ଉଦ୍ୟମରେ ସହଯୋଗ କରିବାକୁ ପ୍ରସ୍ତୁତ । ଦୁହିଁଙ୍କ ମଧ୍ୟରେ ଏହି ସାକ୍ଷାତ ଏମିତି ସମୟରେ ହୋଇଛି ଯେତେବେଳେ କିଛି ମାସରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଅରବିନ୍ଦ କେଜ୍ରିୱାଲଙ୍କ ପାର୍ଟି ପଞ୍ଜାବରେ ନିଜର ସ୍ଥିତି ମଜବୁତ କରିବାରେ ଲାଗି ପଡିଛି ।

Get real time updates directly on you device, subscribe now.