fbpx

ISLରେ ଓଡ଼ିଶା ଏଫସିର ଦମଦାର ଆରମ୍ଭ: ୩-୧ରେ ହାରିଲା ବେଙ୍ଗାଲୁରୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇଣ୍ଡିଆନ ସୁପର ଲିଗରେ ଦମଦାର ଆରମ୍ଭ କରିଛି ଓଡ଼ିଶା ଏଫସି । ସୁନୀଲ ଛେତ୍ରୀଙ୍କ ଦଳ ବେଙ୍ଗାଲୁରୁ ଏଫସିକୁ ୩-୧ରେ ପରାସ୍ତ କରିବା ସହିତ ବିଜୟୀ ହୋଇଛି ଓଡ଼ିଶା । ଓଡ଼ିଶା ପକ୍ଷରୁ ଜାଭି ହର୍ଣ୍ଣାଣ୍ଡେଜ ଦୁଇଟି ଗୋଲ ସ୍କୋର କରି ବିଜୟର ପୁରୋଧା ସାଜିଥିଲେ । ବେଙ୍ଗାଲୁରୁ ଖେଳାଳି ମ୍ୟାଚର ୬୭ ପ୍ରତିଶତ ସମୟ ବଲକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ହେଁ ଦଳ ଗୋଲ ସ୍କୋର କରିବାରେ ସକ୍ଷମ ହୋଇନଥିଲା । ଏପରିକି ବେଙ୍ଗାଲୁରୁକୁ ୭ଟି କର୍ଣ୍ଣର ମିଳିଥିଲେ ହେଁ ଓଡ଼ିଶା ଗୋଲକିପର ଚମକ୍ରାର ପ୍ରଦର୍ଶନ କରିଥିଲେ ।

ମ୍ୟାଚର ପ୍ରଥମ ମିନିଟରୁ ଓଡ଼ିଶା ଏଫସି ଆକ୍ରମଣାତ୍ମକ ଫୁଟବଲ ଖେଳିଥିଲା । ତୃତୀୟ ମିନିଟରେ ଜାଭି ହର୍ଣ୍ଣାଣ୍ଡେଜ ନିଜର ପ୍ରଥମ ଗୋଲ ସ୍କୋର କରିଥିଲେ । ୨୧ତମ ମିନିଟରେ ଆଲାନ କୋଷ୍ଟା ଗୋଲ ସ୍କୋର କରି ମ୍ୟାଚକୁ ସମାନ୍ତର ସ୍ତରକୁ ଆଣିଥିଲେ । ବାକି ସମୟରେ ବେଙ୍ଗାଲୁରୁ ବଲ ନିଜ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ଗୋଲ ସ୍କୋର କରିପାରିନଥିଲେ । ଦ୍ୱିତୀୟାର୍ଦ୍ଧର ଷଷ୍ଠ ମିନିଟରେ ଜାଭି ନିଜର ଦ୍ୱିତୀୟ ଗୋଲ ସ୍କୋର କରିବା ସହିତ ଓଡ଼ିଶାକୁ ୨-୧ରେ ଆଗୁଆ କରିଥିଲେ । ୯୦ ମିନିଟର ଖେଳ ସୁଦ୍ଧା ବେଙ୍ଗାଲୁରୁ ଗୋଲ ସ୍କୋର କରି ପାରିନଥିଲା । ଅତିରିକ୍ତ ସମୟର ଶେଷ ସେକେଣ୍ଡରେ ଆରିଡାଇ କାବ୍ରେରା(୯୫) ଗୋଲ ସ୍କୋର କରିବା ସହିତ ଓଡ଼ିଶାକୁ ୩-୧ରେ ଜିତାଇଥିଲେ । ଦମଦାର ପ୍ରଦର୍ଶନ ପାଇଁ ଜାଭିଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.