fbpx

Lootera Dulhan… ଜଣେ କନିଆଁ, ୨୦ ପୁରୁଷଙ୍କ ସହ ବାହାଘର: ସମସ୍ତଙ୍କୁ ଲୁଟିନେଲା ‘ଲୁଟେରା ବ୍ରାଇଡ’

ନୂଆଦିଲ୍ଲୀ: ଆଜିକାଲି ଲୋକ ଲୁଟତରାଜ ପାଇଁ ବିଭିନ୍ନ ପ୍ରକାରର ବୁଦ୍ଧି ଚିନ୍ତା କରୁଛନ୍ତି । କିନ୍ତୁ ନିଜ ବାହାଘରରେ କନିଆଁ ଲୁଟ କରିବା ଘଟଣା ସହଜରେ ହଜମ କରି ହେଉନି । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଏହି ଲୁଟ ଜଣଙ୍କ ସହ ନୁହେଁ, ୨୦ ଜଣ ପୁରୁଷଙ୍କ ସହ ଘଟିଛି । କାରଣ ମହିଳା ଜଣକ ୨୦ ଜଣଙ୍କୁ ବିବାହ ମଧ୍ୟ କରିଛନ୍ତି । ବର୍ତ୍ତମାନ ଏହି ମାମଲା ଆହୁରି ଅବିଶ୍ୱସନୀୟ ଏବଂ ଦ୍ୱନ୍ଦ୍ୱମୂଳକ ହୋଇଯାଇଛି । ତେବେ ବିଶ୍ୱାସ ନ ହେଲେ ବି ଘଟଣାଟି ଏକଦମ୍ ସତ । ୨୦ ଜଣଙ୍କୁ ବିବାହ କରି ସେମାନଙ୍କୁ ଲୁଟି ନେଇ ଯାଇଛନ୍ତି ଲୁଟେରା କନିଆଁ ।

ରିପୋର୍ଟ ଅନୁସାରେ, ୧୨ରୁ ଅଧିକ ଲୋକ ନିଜ ପତ୍ନୀଙ୍କ ନିଖୋଜ ଏବଂ ଘରୁ ଲୁଟ ହୋଇଥିବା ମାମଲା ନେଇ ଅଭିଯୋଗ କରିଥିଲେ । ତେବେ ପୋଲିସ ତର୍ଜମା କରିବା ପରେ ନିଜକୁ ବି ବିଶ୍ୱାସ କରି ପାରି ନଥିଲା । କାରଣ ସମସ୍ତଙ୍କ ପତ୍ନୀଙ୍କ ଫଟୋ ଥିଲା ସମାନ । ଅର୍ଥାତ୍ ଜଣେ ମହିଳାଙ୍କୁ ଅଭିଯୋଗ କରିଥିବା ସମସ୍ତ ବ୍ୟକ୍ତି ବିବାହ କରିଥିଲେ । ଏହାପରେ ସମସ୍ତେ ଲୁଟ ଭଳି ଘଟଣାର ଶିକାର ହୋଇଛନ୍ତି । ସମସ୍ତଙ୍କ ଘରୁ ସୁନା-ରୂପା ଅଳଙ୍କାର ଏବଂ ଟଭ୍କା ପଇସା ଇତ୍ୟାଦି ଲୁଟ ହୋଇଥିବା ଜାଣିବାକୁ ମିଳିଛି । ତେବେ ଜଣେ ଦଲାଲଙ୍କ ଦ୍ୱାରା ବାହାଘର ହୋଇଥିବା ନେଇ ଜଣେ ଅଭିଯୋଗକାରୀ ପ୍ରକାଶ କରିଥିଲେ ।

ସୂଚନା ଅନୁସାରେ, ଜଣେ ଯୁବକଙ୍କର ଶାରୀରିକ ସମସ୍ୟା ଥିବାରୁ ସେ ଦଲାଲଙ୍କୁ ଝିଅ ଖୋଜିବା ପାଇଁ ୨ ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ବାରମ୍ବାର ବିବାହ କରାଇବାକୁ ନେଇ ବିଳମ୍ବ କରାଇଥିଲା ଏହି ଦଲାଲ । କିଛି ଦିନ ପରେ ବିବାହ କରିବାକୁ ଥିବା ମହିଳାଙ୍କର ଦୁର୍ଘଟଣା ହୋଇଥିବା କହି ସେ ଅଧା ଟଙ୍କା ଫେରାଇ ଦେଇଥିଲା । କିନ୍ତୁ କିଛି ସମୟ ପରେ ପୁଣିଥରେ ଟଙ୍କା ଫେରସ୍ତ ମାଗିବା ସହ ଅନ୍ୟ ଜଣେ ଝିଅର ଫଟୋ ଦେଖାଇ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା ଦଲାଲ । ବିବାହର କିଛି ଦିନ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ମେଡିକାଲକୁ ଯାଇଥିବା ବେଳ ସେଠାରୁ ଫେରାର ହୋଇଯାଇଥିଲେ ଯୁବତୀ । ତେବେ ଯିବା ବେଳେ ସାଙ୍ଗରେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନାଗହଣା ନେଇଯାଇଥିବା ଅଭିଯୋଗ ହୋଇଛି ।

ଏଭଳି ଘଟଣା ପ୍ରାୟ ସମସ୍ତଙ୍କ ସହ ଘଟିଛି । ସମାନ ଢଙ୍ଗରେ ପ୍ରାୟ ୨୦ ଜଣ ଯୁବକଙ୍କୁ ନକଲି ବିବାହ କରି ଲୁଟି ନେଇଛନ୍ତି ଏହି ‘ଲୁଟେରା କନିଆଁ’ । ସମସ୍ତଙ୍କ ସହ ବିବାହର ଗେମ୍ କରି ଘରୁ ଲକ୍ଷ ଲକ୍ଷ ଟଙ୍କା ତଥା ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଜମ୍ମୁ କାଶ୍ମୀରରେ ଦେଖିବାକୁ ମିଳିଛି । ତେବେ ପୋଲିସ ବର୍ତ୍ତମାନ ମାମଲାର ତଦନ୍ତ ଜାରି ରଖିବା ସହ ଏହି ଯୁବତୀଙ୍କୁ ଖୋଜିବାରେ ଲାଗିଛି ।

Get real time updates directly on you device, subscribe now.