fbpx

(Video) କଟକ ବାଲିଯାତ୍ରା ପଡ଼ିଆରେ ବୁଲୁଛନ୍ତି ଭୂତ! ପର୍ଯ୍ୟଟକଙ୍କୁ ଘାରିଛି ସଇତାନ ଭୟ…

କଟକ: ସିଲଭର ସିଟି କଟକରେ ଜମୁଛି ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣମୀ ଦିନରୁ ବାଲିଯାତ୍ରା ପଡ଼ିଆରେ ଧୁମଧାମରେ ପାଳନ ହେଉଛି ଏହି ମେଳା । ଦୂର ଦୂରାନ୍ତରୁ ହଜାର ହଜାର ଲୋକ ଏଠାକୁ ଆସି ଏହି ମେଳାର ମଜା ନେଉଛନ୍ତି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଛୁଟିଛି ପର୍ଯ୍ୟଟକଙ୍କ ଲମ୍ବା ଲାଇନ୍ । ଭଳିକି ଭଳି କଳାକୃତି ସାଙ୍ଗକୁ ବିଭିନ୍ନ ପାରମ୍ପରିକ ଜିନିଷରେ ଭରପୂର ଏହି ମେଳାରେ ଚଳିତବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଆକ୍ୱାରିୟମ । କିନ୍ତୁ ଚଳିତବର୍ଷ ବାଲିଯାତ୍ରାରେ ପର୍ଯ୍ୟଟକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ଭୂତ ଭୟ । ବାଲିଯାତ୍ରା ପଡ଼ିଆରେ ଭୂତମାନଙ୍କ ଆସର ଜମିଥିବା ଦେଖାଯାଇଛି ।

କଥାଟା ହୁଏତ ଅଧିକାଂଶ ଲୋକଙ୍କ ପାଇଁ ଏହି ଘଟଣା ବିଶ୍ୱାସ କରିବା ସମ୍ଭବ ହୋଇ ନ ପାରେ । କିନ୍ତୁ ଘଟଣାଟି ଏକଦମ୍ ସତ । କଟକର ଏତିହାସିକ ବାଲିଯାତ୍ରା ପଡ଼ିଆରେ ହଜାର ହଜାର ପର୍ଯ୍ୟଟକଙ୍କ ସହ ଘୁରି ବୁଲୁଛନ୍ତି ଭୂତ ଓ ସଇତାନ୍ । ଅନ୍ଧାର ରାତିରେ ଜିକିମିକ ଆଲୋକରେ ଜମୁଛି ଭୂତଙ୍କ ମେଳା ଆଉ ଆସର ଜମାଇଛନ୍ତି ଭୟଙ୍କର ସଇତାନ୍ । ମେଳା ଭିତରେ ବିକଟାଳ ଚିତ୍କାର କରି ପର୍ଯ୍ୟଟକଙ୍କ ପାଖକୁ ମାଡ଼ି ଆସିବା ସହ ସେମାନଙ୍କୁ ଖୁବ ଡରାଉଛନ୍ତି ଏହିସବୁ ଭୂତ । ତେବେ ଏହି ଭୂତ ସମସ୍ତଙ୍କୁ ଦେଖିବାର ସୁଯୋଗ ମିଳେନାହିଁ । ଏହି ଭୂତଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କୁ ଟିକେଟ କାଟିବାକୁ ପଡ଼ିବ । କାରଣ ବାଲିଯାତ୍ରାର ତଳ ପଡ଼ିଆରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ଭୂତ ବଙ୍ଗଳା ପ୍ରସ୍ତୁତ କରାଯାଇଛି । ମ୍ୟାଜିକ ଶୋ’ ଭଳି ଏଠାରେ ‘ହରର୍ ଶୋ’ ଦେଖିପାରିବେ ପର୍ଯ୍ୟଟକ ।

ଏହି ଭୂତ ବଙ୍ଗଳାରେ ଟିଭିରେ ଦେଖୁଥିବା ଭୟଙ୍କର ଭୂତଙ୍କ ପ୍ରକୃତ କାର୍ଯ୍ୟକଳାପ ନିଜ ଅଖିରେ ଦେଖିପାରିବେ ପର୍ଯ୍ୟଟକ । ଏଥିପାଇଁ ମାତ୍ର ୫୦ ଟଙ୍କା ଖର୍ଚ୍ଚ କରି ଟିକେଟ କାଟିବାକୁ ପଡ଼ିବ । ଏହାପରେ ବଙ୍ଗଳା ଭିତରକୁ ପଶିଲେ ଦେଖିବାକୁ ମିଳିବ ଭୂତଙ୍କ ତମାଶା । ତେବେ ଏହି ଶୋ’ ଦେଖିବା ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ପିଲାଠୁ ବୁଢା ପର୍ଯ୍ୟନ୍ତ ଏହି ଶୋ’ର ମଜା ନେଉଥିବା ଦେଖିବାକୁ ମିଳିଛି । ଆକ୍ୱାରିୟମ ସାଙ୍ଗକୁ ଏହି ଭୂତ ବଙ୍ଗଳା ପର୍ଯ୍ୟଟକଙ୍କ ମନ ମୋହିବାରେ ସପଳତା ପାଇ ସାରିଛି ।

Get real time updates directly on you device, subscribe now.