୨୦୧୮ରେ ବିଧାନ ପରିଷଦ ପାଇଁ ଚିଠି ଲେଖିଥିଲେ ରାଜ୍ୟ ସରକାର: ବାଚସ୍ପତିଙ୍କ ବଡ ବୟାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନ ପରିଷଦ ପାଇଁ ୨୦୧୮ରୁ କେନ୍ଦ୍ରକୁ ପ୍ରସ୍ତାବ ଯାଇଛି । ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୨୦୧୮ ମସିହା ସେପ୍ଟେମ୍ବର ୧୮ରେ କେନ୍ଦ୍ର ନିକଟକୁ ପ୍ରସ୍ତାବ ପଠାଯାଇଥିଲା । ରାଜ୍ୟସଭା ଓ ଲୋକସଭା ସେକ୍ରେଟାରୀଙ୍କ ପାଖକୁ ପ୍ରସ୍ତାବ ପଠାଯାଇଥିବା ବାଚସ୍ପତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର କହିଛନ୍ତି । ଓଡ଼ିଶାରେ ବିଧାନ ପରିଷଦ ପାଇଁ ୨୦୧୫ରୁ ଚେଷ୍ଟା କରାଯାଉଛି । ଏନେଇ ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ୨୦୧୫ ଜାନୁୟାରୀ ୧୯ ତାରିଖରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା । ବିଭିନ୍ନ ରାଜ୍ୟ ଗସ୍ତ ପରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା । ୨୦୧୮ ମସିହା ସେପ୍ଟେମ୍ବର ୬ରେ ବିଧାନ ପରିଷଦ ସଂକଳ୍ପଟି ବିଧାନସଭାରେ ପାରିତ ହୋଇଥିଲା । ହେଲେ ପ୍ରସ୍ତାବ କେନ୍ଦ୍ରକୁ ଯାଇନଥିବା କୁହାଯିବା ରାଜ୍ୟବାସୀ ଏବଂ ରାଜ୍ୟ ସରକାରଙ୍କୁ ଚକିତ କରିଛି । ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ସୂର୍ୟ୍ୟ ନାରାୟଣ ପାତ୍ର  ।

ପ୍ରକାଶଥାଉ କି, ଓଡିଶା ବିଧାନ ପରିଷଦ ଗଠନ ପାଇଁ ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ୟ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କହିଥିଲେ ଯେ, ବିଧାନ ପରିଷଦ ଗଠନ ପାଇଁ ଓଡିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ । କିନ୍ତୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଠାରୁ ସୂଚନା ସଂଗ୍ରହ ଚାଲିଛି । କେନ୍ଦ୍ରମନ୍ତ୍ରୀଙ୍କ ଏହି କଥାକୁ ଏବେ ଖଣ୍ଡନ କରିଛନ୍ତି ବାଚସ୍ପତି ।

Get real time updates directly on you device, subscribe now.