fbpx

Friendship day Special: ନିଆରା ଏ ବନ୍ଧୁତ୍ୱ, ଗଛ ଲଗାଇଲେ, ସମାଜକୁ ସଚେତନତା ବାର୍ତ୍ତା ଦେଇ କହିଲେ, ‘ବୃକ୍ଷ ହିଁ ଆମର ପ୍ରକୃତ ବନ୍ଧୁ’

ଓଡିଶା ଭାସ୍କର (ଯାଜପୁର): ବନ୍ଧୁତ୍ୱର କିଛି ପରିଭାଷା ନ ଥାଏ । ଏହାକୁ ଶବ୍ଦ ଦେଇ ସଂଯୋଜନା ମଧ୍ୟ କରିବା ମୁସ୍କିଲ । କିଏ ନିଜର ପିତାମାତାଙ୍କୁ ବନ୍ଧୁ ପରି ଦେଖନ୍ତି ତ ପୁଣି କିଏ ନିଜ ଭାଇଭଉଣୀକୁ । ସମାଜରେ ଅନେକ ଲୋକ ଜୀବଜନ୍ତୁ ତଥା ପୋଷା ବିଲେଇ ଓ ମଣିଷଠୁ ବି ଅଧିକ ବିଶ୍ୱାସୀ କୁକୁର ସହ ମଧ୍ୟ ବନ୍ଧୁ ବସିବାର ଉଦାହରଣ ରହିଛି । ସେହିଭଳି ପୁରାଣରେ ମଧ୍ୟ ଋଷି-ମହର୍ଷିମାନେ ବୃକ୍ଷକୁ ନିଜର ଗୁରୁ ଓ ବନ୍ଧୁ ବୋଲି ବିବେଚନା କରିବାର ଉଦାହରଣ ଭାରତୀୟ ସଂସ୍କୃତିରେ ପ୍ରତିଫଳିତ ହୋଇଥାଏ ।
ଏହିକ୍ରମରେ ଗଛ ଲଗାଇ ବନ୍ଧୁତା ଦିବସ ପାଳନ କରିଛନ୍ତି ଯାଜପୁର ଜିଲ୍ଲା ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟ ଓ ସଦସ୍ୟାମାନେ । କୋରାଇ ବ୍ଲକସ୍ଥିତ ବନ୍ଦାଳୋ ପଞ୍ଚାୟତର ଏହି ସ୍ୱେଚ୍ଛାସେବୀ ସଙ୍ଗଠନ ଏହି ଦିବସରେ ଶତାଧିକ ବୃକ୍ଷ ଲଗାଇ ସମାଜକୁ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛନ୍ତି । ବନ୍ଦାଳୋ ପଞ୍ଚାୟତ ନିକଟରେ ପ୍ରବାହିତ ହେଉଥିବା ବୈତରଣୀ ନଦୀ ପଠା ଓ ତାହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସେମାନେ ବୃକ୍ଷରୋପଣ କରି ତାହାକୁ ସବୁଜିମାରେ ଭରିବାର ଏକ ଅଭିନବ ପ୍ରୟାସ କରି ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି ।

ଅଧୁନା ସମାଜରେ ବନ୍ଧୁଟିଏ ପ୍ରତାରଣା ତଥା ଛଳନା କରିପାରେ । କିନ୍ତୁ, ବୃକ୍ଷ କେବେବି ମଣିଷ ସମାଜକୁ ମିଛ ତଥା ପ୍ରରୋଚନା ଦେଇ ନ ଥାଏ । ସେ ସର୍ବଦା ମଣିଷର ଶୁଭମନା ଆସିଥାଏ । ଅମ୍ଲଜାନ ପ୍ରଦାନଠୁ ଆରମ୍ଭ କରି ତାହାର ଛତ୍ରଛାୟାରେ ସେ ମଣିଷର କ୍ଲାନ୍ତକୁ ଦୂର କରେ । ବୃକ୍ଷରୋପଣ ସହ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତ୍ୟେକଟି ସଦସ୍ୟ ଲୋକଙ୍କୁ ତାହାର ମାହାତ୍ମ୍ୟ କହି ସଚେତନ କରିଥିଲେ ଏହି ବନ୍ଧୁତ୍ୱ ଦିବସ ଅବସରରେ । ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସେମାନେ ‘ବୃକ୍ଷ ହିଁ ବନ୍ଧୁ’ ବୋଲି କହି ସମାଜ ପ୍ରତି ଲୋକଙ୍କ କର୍ତ୍ତବ୍ୟକୁ ଜାଗ୍ରତ କରିଛନ୍ତି ।

କାର୍ଯ୍ୟକ୍ରମରେ ମହାକାଳ ଫାଉଣ୍ଡେସନର ସଭାପତି ମନୋଜ କୁମାର ଦାସ ସମେତ ଲୋକନାଥ ସେନାପତି, ପ୍ରଦୀପ ଜେନା, ଶୁଭଶ୍ରୀ ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ପୂଜାରାଣୀ ବେହେରା, ଶୁଭଶ୍ରୀ ସେନାପତି ତଥା ପ୍ରାର୍ଥନା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ସ୍ଥାନୀୟ ଜନସାଧାରଣ ଗୋପୀନାଥ ପୃଷ୍ଟି ଓ ଅନ୍ୟମାନେ ମଧ୍ୟ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରି ବନ୍ଧୁତ୍ୱ ଦିବସରେ ଗୋଟିଏ ସ୍ୱରରେ ସମାଜକୁ କହିଥିଲେ, “ବୃକ୍ଷ ହିଁ ଆମର ପ୍ରକୃତ ବନ୍ଧୁ” ।

Get real time updates directly on you device, subscribe now.