ଓଡିଶା ଭାସ୍କର: ଗୁଜୁରାଟରେ ଦେଶର ଏକ ଅନନ୍ୟ ଗ୍ରାମ ଅଛି, କୌଣସି ଘରେ ଖାଦ୍ୟ ରନ୍ଧାଯାଏ ନାହିଁ । କାରଣ ଏହି ଗାଁଟି ବୟସ୍କଙ୍କ ଗାଁ । ବିଶେଷ କଥା ହେଉଛି ଏହି ଗାଁରେ ବହୁ ସଂଖ୍ୟକ ବୃଦ୍ଧ ବା ବୟୋଜ୍ୟେଷ୍ଠ ବ୍ୟକ୍ତି ବାସକରନ୍ତି । ପୂର୍ବରୁ ଏହି ଗାଁର ଜନସଂଖ୍ୟା ୧୧୦୦ ଥିଲା । କିନ୍ତୁ ଲୋକମାନେ ଚାକିରି କରି ଏବେ ଗାଁ ବାହାରେ ବା ଦେଶ ବାହାରେ ରହୁଛନ୍ତି । ବର୍ତ୍ତମାନ ଏଠାରେ କେବଳ ୫୦୦ ଲୋକ ବାସ କରନ୍ତି ।
କିନ୍ତୁ ଏହି ଗାଁ ସମଗ୍ର ଦେଶରେ ଏକ ଚମତ୍କାର ଉଦାହରଣ ପାଲଟିଛି । ଆସନ୍ତୁ ଗୁଜୁରାଟର ଏହି ଗାଁର କାହାଣୀ ଜାଣିବା । ଗୁଜୁରାଟର ମେହସାନା ଜିଲାରେ ରହିଛି ଏହି ଅନନ୍ୟ ଗ୍ରାମ, ଯାହାର ନାଁ ଚନ୍ଦାଙ୍କି । ଗାଁର କୌଣସି ଘରେ ଖାଦ୍ୟ ରନ୍ଧାଯାଏ ନାହିଁ । ଗାଁରେ ଏକ କମ୍ୟୁନିଟି ରୋଷେଇ ଘର ଅଛି । ଏହିଠାରେ ସମଗ୍ର ଗାଁ ପାଇଁ ଖାଦ୍ୟ ରନ୍ଧାଯାଏ । ଆଉ ଗାଁର ଲୋକମାନେ ଖାଇବା ବାହାନାରେ ଏଠାରେ ଏକାଠି ହୁଅନ୍ତି । ପରସ୍ପର ସହିତ ଭେଟଘାଟ ହୁଏ, ଭଲମନ୍ଦ ବୁଝନ୍ତି, ଦୁଃଖ-ସୁଖ ଜାଣିପାରନ୍ତି । ଏହି କମ୍ୟୁନିଟି ରୋଷେଇ ବୃଦ୍ଧମାନଙ୍କ ମଧ୍ୟରେ ଥିବା ନିଃସଙ୍ଗତା ଦୂର କରିବାରେ ବହୁତ ସାହାଯ୍ୟ କରିଛି ।
ଏହି କମୁନିଟି ରୋଷେଇଶାଳରେ ନିୟୋଜିତ ରୋଷେୟାମାନେ ଗ୍ରାମବାସୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି । ସେମାନଙ୍କୁ ପ୍ରତି ମାସରେ ୧୧ହଜାର ଟଙ୍କା ଦରମା ଦିଆଯାଏ । ପ୍ରତି ଗ୍ରାମବାସୀଙ୍କୁ ଖାଦ୍ୟ ପାଇଁ ମାସିକ ଦୁଇ ହଜାର ଟଙ୍କା ପଇଠ କରିବାକୁ ହୋଇଥାଏ । ଶୀତତାପ ନିୟନ୍ତ୍ରିତ ହଲରେ ଗ୍ରାମବାସୀଙ୍କୁ ଖାଦ୍ୟ ପରିବେଷଣ କରାଯାଏ । ଗ୍ରାମ ସରପଞ୍ଚ ପୁନମଭାଇ ପଟେଲଙ୍କ ଉଦ୍ୟମରେ ଏମିତି ଏକ ସାମୂହିକ ରୋଷେଇ ଘର ନିର୍ମାଣ କରାଯାଇଛି ।
ଏହି ଗାଁର କମ୍ୟୁନିଟି ରୋଷେଇ ଘର ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକେ ଆସିଥାନ୍ତି । କମ୍ୟୁନିଟି ରୋଷେଇ ଘରର ଏସି ହଲରେ ୩୫-୪୦ ଲୋକଙ୍କ ପାଇଁ ଏକାଠି ଖାଦ୍ୟ ଖାଇବା ପାଇଁ ଏକ ବ୍ୟବସ୍ଥା ଅଛି । ମଧ୍ୟାହ୍ନ ଭୋଜନରେ ଭାତ,ଡାଲି, ଚପାତି ବା ରୋଟି, ପନିପରିବା ତରକାରି ଏବଂ ମିଠା ଦିଆଯାଏ । ରାତିରେ ଖିଚିଡି-କଡି, ଭାକ୍ରି-ରୋଟି-ପନିପରିବା ତରକାରି, ମେଥୀ ଗୋଟା, ଧୋକଲା ଏବଂ ଇଡଲି-ସମ୍ବର ପାଇଁ ବ୍ୟବସ୍ଥା କରାଯାଇଛି ।
ଗାଁଟି ବୃଦ୍ଧ, ବୃଦ୍ଧାଙ୍କୁ ନେଇ ଏଥିପାଇଁ ଭରାପଡିଛି, କାରଣ ଗାଁର ସବୁ ଯୁବକ, ବିବାହ ପରେ ବା ପୂର୍ବରୁ ଆମେରିକା, କାନାଡା, ଅଷ୍ଟ୍ରେଲିଆ ପରି ଦେଶରେ ଅବସ୍ଥାପନ କରନ୍ତି । ପ୍ରାୟ ୩୦୦ ପରିବାରର ପିଲା ବିଦେଶରେ ରହିଛନ୍ତି । ତେଣୁ ଗାଁରେ ରହୁଥିବା ନିଜ ବୃଦ୍ଧ ବାପା ଓ ମାଆଙ୍କ ପାଇଁ ଏମାନେ ସରପଞ୍ଚଙ୍କ ସାହାଯ୍ୟରେ ଏପରି ବ୍ୟବସ୍ଥା କରିଛନ୍ତି ।