ଚଳନ୍ତା ବସରେ ଛୁଆକୁ ଜନ୍ମ କଲା, ଝରକା ପଟେ ଫୋପାଡ଼ି ମାରିଦେଲା
ମା' ସାଜିଲା ରାକ୍ଷସୀ, ନବଜାତ ଶିଶୁକୁ ଚଳନ୍ତା ବସରୁ ଫୋପାଡ଼ି ମାରିଦେଲା
ମହାରାଷ୍ଟ୍ର: ମା’ ସାଜିଲା ପିଶାଚିନୀ! ଚଳନ୍ତା ବସରେ ଛୁଆକୁ ଜନ୍ମ ଦେଇ ଝରକା ପଟେ ଫୋପାଡ଼ି ମାରିଦେଲା। ଏଭଳି ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପରଭାନୀରେ।
ଯେଉଁଠି ବସଟି ଚାଲୁଥିବା ସମୟରେ ଜଣେ ୧୯ ବର୍ଷୀୟା ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେଲା, ଏହି ସମୟରେ ମହିଳା ଜଣଙ୍କ ବସ୍ରେ ହିଁ ସନ୍ତାନ ଜନ୍ମ କରିଦେଲେ। କିନ୍ତୁ ଜନ୍ମ କରିବା ପରେ ସେ ନବଜାତ ଶିଶୁକୁ ଗୋଟିଏ କପଡ଼ାରେ ଗୁଡ଼ାଇ ବସର ଝରକା ପଟେ ବାହାରକୁ ଫିଙ୍ଗିଦେଲେ।
ସେହି ସମୟରେ ସ୍ଲିପର ବସ ଚଲାଉଥିବା ଡ୍ରାଇଭର ସାମ୍ନାରେ ଥିବା ଦର୍ପଣରେ ଏହାକୁ ଦେଖି ତାଙ୍କୁ କଣ ବୋଲି ପଚାରିବାରୁ ମହିଳାଙ୍କ ସ୍ୱାମୀ କହିଥିଲେ ଯେ, ତାଙ୍କ ସ୍ତ୍ରୀ ଯାତ୍ରା କରିବା ସମୟରେ ବାନ୍ତି କରିଥିଲେ, ତାହାକୁ ହିଁ ସେ ଫୋପାଡିଲେ।
ଏହା ପରେ, ସେଠାରେ ପାଟ୍ରୋଲିଂରେ ନିୟୋଜିତ ପୋଲିସ ଦଳ ବସ୍କୁ ପିଛା କରିବା ଆରମ୍ଭ କଲେ। ତା ପରେ ପୋଲିସ ବସ୍କୁ ଅଟକାଇ ଗାଡ଼ିର ପ୍ରାଥମିକ ତଦନ୍ତ କରିବା ପରେ ମହିଳା ଏବଂ ତାଙ୍କ ସ୍ୱାମୀକୁ ଗିରଫ କରିଛି।
ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଦମ୍ପତି ପିଲାଟିକୁ ଲାଳନ ପାଳନ କରିପାରିବେନି ବୋଲି ଝରକା ପଟେ ନବଜାତ ଶିଶୁକୁ ଫୋପାଡ଼ି ଦେଇଥିଲେ। ଯାହାଫଳରେ ତାର ସେହି ସ୍ଥାନରେ ହିଁ ମୃତ୍ୟୁ ହୋଇଥିଲା।
ଏହି ଘଟଣା ପରେ ପୋଲିସ ଅଧିକ ତଦନ୍ତ କରୁଛି ଏବଂ ଦମ୍ପତିଙ୍କୁ ହେପାଜତକୁ ନେଇଛି।