ଇସ୍ତଫା ଦେଲେ ବିଧାୟକ ଅବଦୁଲ ରେହମାନ: ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ । ତେବେ ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ)କୁ ଲାଗିଛି ଏକ ବଡ଼ ଝଟକା । ସୀଲମପୁର ବିଧାନସଭା ଆସନର ଆପ୍ ବିଧାୟକ ଅବଦୁଲ ରେହମାନ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ଅବଦୁଲ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି ।

ଉକ୍ତ ପୋଷ୍ଟରେ ବିଧାୟକ ଶ୍ରୀ ରେହମାନ ଲେଖିଛନ୍ତି, ଆଜି ମୁଁ ଆମ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ଦଳ କ୍ଷମତା ରାଜନୀତିର ବଶବର୍ତ୍ତୀ ହୋଇ ମୁସଲମାନମାନଙ୍କ ଅଧିକରକୁ ଅଣଦେଖା କରିଥିଲା । ଅରବିନ୍ଦ କେଜ୍ରିୱାଲ ସର୍ବଦା ଜନତାଙ୍କ ପ୍ରସଙ୍ଗ ଠାରୁ ଦୂରେଇ ଯାଇ ନିଜର ରାଜନୀତି କରିଥିଲେ । ମୁଁ ନ୍ୟାୟ ଓ ହକର ଅଧିକାରକୁ ନେଇ ଲଢ଼େଇ ଜାରି ରଖିବି ।’ ତେବେ ମୁସଲମାନମାନଙ୍କ ପ୍ରତି ଦଳର ଅଣଦେଖା ମନୋଭାବ କାରଣରୁ ସେ ଏହି ପଦକ୍ଷେପ ଗ୍ରହଣ କରିଥିବା ଅବଦୁଲ କହିଛନ୍ତି ।