ଅବଦୁଲ ରହିମ ରାଥର ହେବେ ଜମ୍ମୁ କଶ୍ମୀର ବିଧାନସଭାର ପରବର୍ତ୍ତୀ ବାଚସ୍ପତି

ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସ (ଏନସି)ର ବରିଷ୍ଠ ନେତା ତଥା ଚରାର-ଏ-ଶରିଫ ବିଧାନସଭା ଆସନରୁ ୭ ଥର ବିଧାୟକ ଭାବେ ଜିତିଥିବା ଅବଦୁଲ ରହିମ ରାଥର ଜମ୍ମୁ କଶ୍ମୀର ବିଧାନସଭାର ପରବର୍ତ୍ତୀ ବାଚସ୍ପତି ହେବେ । କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ବିଧାନସଭାର ପ୍ରଥମ ଅଧ୍ୟକ୍ଷ ହେବା ନେଇ ଅବଦୁଲଙ୍କ ନାମରେ ସର୍ବାଗ୍ରେ ରହିଥିଲା । ନଭେମ୍ବର ୪ ତାରିଖ ଠାରୁ ଜମ୍ମୁ କଶ୍ମୀର ବିଧାନସଭାର ପାଞ୍ଚଦିନିଆ ଅଧିବେସନ ଆରମ୍ଭ ହେବାକୁ ଯାଉଛି । ବିଧାନସଭା ସଚିବାଳୟ ପକ୍ଷରୁ ଜାରି ହୋଇଥିବା ଅନ୍ତରୀଣ କ୍ୟାଲେଣ୍ଡର ଅନୁସାରେ, ଆସନ୍ତାକାଲିର ପ୍ରଥମ ବୈଠକରେ ବିଧାନସଭାର ଅଧ୍ୟକ୍ଷ ନିର୍ବାଚନ କରାଯିବ ।

୮୦ ବର୍ଷୀୟ ବରିଷ୍ଠ ନେତା ଶ୍ରୀ ରାଥରଙ୍କୁ ବିଧାନସଭାର ବାଚସ୍ପତି ପଦରେ ଅଧିଷ୍ଠିତ କରିବା ନେଇ ଏନସି ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିବା ଏକ ସୂତ୍ରରୁ ଜଣାପଡ଼ିଥିଲା । ଯେହେତୁ ବିଧାନସଭା ନିର୍ବାଚନରେ ଏନସିର ବହୁମତ ରହିଛି ତେଣୁ ରାଥରଙ୍କୁ ଏହି ଦାୟିତ୍ୱ ପ୍ରଦାନ ନେଇ ଦଳ ପ୍ରସ୍ତୁତ ରହିଥିବା ଜଣେ ବରିଷ୍ଠ ନେତା କହିଥିଲେ । ଏହା ପୂର୍ବରୁ ରାଥର ଜମ୍ମୁ କଶ୍ମୀର ବିଧାନସଭାର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ୨୦୦୨ରୁ ୨୦୦୮ ପର୍ଯ୍ୟନ୍ତ ସେ ବିରୋଧୀ ଦଳ ନେତା ରହିଥିଲେ । ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି)- କଂଗ୍ରେସ ମେଣ୍ଟ ସରକାରରେ ସେ ଏହି ଦାୟିତ୍ୱ ସମ୍ଭାଳିଥିଲେ ।