‘ମହାତ୍ମା ଗାନ୍ଧୀ ଭାରତର ନୁହନ୍ତି, ପାକିସ୍ତାନର ରାଷ୍ଟ୍ରପିତା ଥିଲେ’: ବଲିଉଡ ଗାୟକ ଅଭିଜିତଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ରାଜନେତା, କଳାକାର ତଥା ବିଶିଷ୍ଟ ବ୍ୟକ୍ତିବିଶେଷ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ପରିସରକୁ ଆସିଥାନ୍ତି । ପରବର୍ତ୍ତୀ ସମୟରେ କିଛି ବ୍ୟକ୍ତି ନିଜର ପୂର୍ବ ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଥାନ୍ତି । ଏହାକୁ ନେଇ ଅନେକ ସମୟରେ ବିବାଦ ବଢ଼ିବାରେ ଲାଗିଥାଏ । ତେବେ ଏହା ମଧ୍ୟରେ ବଲିଉଡର ପ୍ରଚ୍ଛଦପଟ୍ଟ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଉକ୍ତ ବୟାନକୁ ନେଇ ଏବେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସୂଚନା ମୁତାବକ, ନିକଟରେ ଅଭିଜିତ ଏକ ସାକ୍ଷାତକାରରେ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ ଅଭିଜିତ ସଲମାନ ଖାନଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନଙ୍କ ବିଷୟରେ ନିଜର ପ୍ରତିକ୍ରିୟା ଦେଇଥିଲେ । ଏଥିସହିତ ଅଭିଜିତ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ବିଷୟରେ ଏକ ବିବାଦୀୟ ବୟାନ ଦେଇଥିଲେ । ଗାନ୍ଧୀ ଭାରତର ନୁହନ୍ତି, ପାକିସ୍ତାନର ରାଷ୍ଟ୍ରପିତା ଥିଲା ବୋଲି ସେ କହିଥିଲେ । ଅଭିଜିତ କହିଥିଲେ, ସଙ୍ଗୀତ ନିର୍ଦ୍ଦେଶକ ଆରଡି ବର୍ମନ ଗାନ୍ଧୀଙ୍କ ଠାରୁ ବଡ଼ ଅଟନ୍ତି । ଆରଡି ବର୍ମନ ମ୍ୟୁଜିକ ଦୁନିଆର ରାଷ୍ଟ୍ରପିତା ଥିଲେ । ଗାନ୍ଧୀ ଭାରତ ପାଇଁ ନଥିଲେ, ପାକିସ୍ତାନ ପାଇଁ ଥିଲେ । ଭାରତ ପୂର୍ବରୁ ହିଁ ଭାରତ ଥିଲା, ମାତ୍ର ପାକିସ୍ତାନକୁ ଗଠନ କରାଯାଇଥିଲା । ଭୁଲରେ ଗାନ୍ଧୀଙ୍କୁ ଏଠାକାର ରାଷ୍ଟ୍ରପତି କୁହାଯାଇଥିଲା । ଶୁଭଙ୍କର ମିଶ୍ରାଙ୍କ ପଡକାଷ୍ଟରେ ସାମିଲ ହେବା ଅବସରରେ ଅଭିଜିତ ଏହି ବିବାଦୀୟ ବୟାନ ଦେଇଥିଲେ ।