ଭୁବନେଶ୍ବର: କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ କ୍ଷତି ସହିଥିବା ଚାଷୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ୍ ପାଣ୍ଠିରୁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ ଚାଷ କ୍ଷତି ଯଦି ୩୩ ପ୍ରତିଶତରୁ ଅଧିକ ହୋଇଥାଏ ତାହେଲେ ଚାଷୀଙ୍କୁ ସହାୟତା ଦିଆଯିବ । ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ମୋଟ ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତି ହୋଇଥିବା ବେଳେ ୨୯୧ କୋଟି ସହାୟତା ମିଳିବ । ଜିଲ୍ଲାପାଳ ମାନଙ୍କଠାରୁ କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ପରେ ରାଜ୍ୟ ସରକାର ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ରୂପେ ଘୋଷଣା କରିଛନ୍ତି ।
ବିପର୍ଯ୍ୟୟ ତାଲିକାରେ ସାମିଲ ନଥିଲା ଅଦିନିଆ ବର୍ଷା: ଅଦିନିଆ ବର୍ଷାର ତଥାରଥ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଥିଲା । ତେବେ ଜିଲ୍ଲାପାଳମାନେ ତଦନ୍ତ କରି ରିପୋର୍ଟ ମଧ୍ୟ ପ୍ରଦାନ କରିଛନ୍ତି । ପୂର୍ବରୁ ଏଭଳି ଅଦିନିଆ ବର୍ଷା ହେଉଥିଲେ ମଧ୍ୟ ଚାଷୀଙ୍କୁ କ୍ଷତିପୂରଣ ମିଳୁନଥିଲା । ଆଗରୁ ବିପର୍ଯ୍ୟୟ ତାଲିକାରେ ସାମିଲ ନଥିଲା ଅଦିନିଆ ବର୍ଷା । ଫଳରେ ଚାଷୀମାନ କ୍ଷତି ସହି ଆସୁଥିଲେ । ତେବେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ପ୍ରଶଂସାଯୋଗ୍ୟ ଅଟେ ।