fbpx

ACF ସୌମ୍ୟ ମୃତ୍ୟୁ ରହସ୍ୟ ଖୋଲିବ: ପତ୍ନୀ ବିଦ୍ୟାଭାରତୀ, DFO ଏବଂ ରୋଷେୟାଙ୍କୁ ସମନ୍ ଜାରି କଲେ କୋର୍ଟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବହୁଚର୍ଚ୍ଚିତ ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଏହା ମଧ୍ୟରେ ଦେଢ଼ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇ ସାରିଲାଣି । ଗତ ୨୦୨୦ ମସିହା ଡିସେମ୍ବର ମାସ ୧ ତାରିଖରେ ସୌମ୍ୟ ବିଦ୍ୟାଭାରତୀ ପଣ୍ଡାଙ୍କୁ ବିବାହ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଜୁଲାଇ ମାସ ୧୩ ତାରିଖରେ ସନ୍ଦେହଜନକ ଅବସ୍ଥାରେ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା । ଏହି ମାମଲାରେ ନ୍ୟାୟ ନ ପାଇବାରୁ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ହାଇକୋର୍ଟରେ ମାମଲା ଦାୟର କରିଥିଲେ ।

ତେବେ ଦୀର୍ଘଦିନ ପରେ ପୁଣି ଖୋଲିବାକୁ ଯାଉଛି ସୌମ୍ୟଙ୍କ ମୃତ୍ୟୁ ରହସ୍ୟ । ଏ ବାବଦରେ ଆସିଛି ଏକ ବଡ଼ ରହସ୍ୟ । ସୂଚନା ମୁତାବକ, ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାର ବିଚାର ପୁଣି ଚାଲିବ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହିତ ୩ ଜଣଙ୍କ ବିରୋଧରେ ବିଚାର ଆରମ୍ଭ ହେବ । ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ରହିଛନ୍ତି । ଆଇପିସିର ଧାରା ୩୦୨ ଓ ୧୨୦ ‘ବି’ ଅଭିଯୋଗ ଆଧାରରେ ମାମଲା ଚାଲିବ ।

ବିଦ୍ୟାଭାରତୀ, ସଂଗ୍ରାମ ଓ ମନ୍ମଥଙ୍କୁ ହାଜର ହେବା ପାଇଁ ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟ ସମନ ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖରେ କରାଯିବ । ସୌମ୍ୟଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପା କମ୍ପେ୍ଲନ୍ କେସ୍ ଦାୟର କରିଥିଲେ । ଏହି ମାମଲାରେ ପୂର୍ବରୁ ଡିଏଫଓ ଏବଂ ରୋଷେୟାଙ୍କର ଲାଇ ଡିଟେକ୍ସନ କରାଯାଇଥିଲା । ତେବେ ସୌମ୍ୟଙ୍କ ମୃତ୍ୟୁର ତଦନ୍ତକୁ ନେଇ ତାଙ୍କର ପରିବାରବର୍ଗ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏପରିକି ସୌମ୍ୟଙ୍କ ପତ୍ନୀଙ୍କ ସହିତ ଡିଏଫଓଙ୍କର ଖରାପ ସମ୍ପର୍କ ରହିଥିବା ସୌମ୍ୟଙ୍କ ବାପା ଅଭିଯୋଗ କରିଥିଲେ । ଏହି ଘଟଣାରେ ସୌମ୍ୟଙ୍କ ପରିବାର ବର୍ଗ ମୁଖ୍ୟମନ୍ତ୍ରୀ, ଡିଜପିଙ୍କ ନିକଟରେ ଗୁହାରି କରିବା ସହ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବାକୁ ଧମକ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ସରକାରୀ କ୍ୱାର୍ଟରରେ ରହୁଥିବା ସମୟରେ ରାତି ପାଖାପାଖି ୯ଟା ସମୟରେ ହଠାତ୍ ସୌମ୍ୟଙ୍କ ଦେହରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ବିଦ୍ୟାଭାରତୀୟ ଏନେଇ ତାଙ୍କ ପଡ଼ୋଶୀଙ୍କୁ ଖବର ଦେଇଥିଲେ ଓ ଏହାପରେ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ମାତ୍ର ଆମ୍ବୁଲାନ୍ସ ଠିକ୍ ସମୟରେ ନ ପହଞ୍ଚିବାରୁ ତାଙ୍କୁ ଅଫିସ୍ ଗାଡ଼ିରେ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆମ୍ବୁଲାନ୍ସରେ ସୌମ୍ୟ ମରଣ ସହ ସଂଘର୍ଷ କରୁଥିବା ବେଳେ ତାଙ୍କୁ ବ୍ରହ୍ମପୁର ନେବା ସମୟରେ ଆମ୍ବୁଲାନ୍ସ ବାଟରେ ଅଟକିଥିଲା । ଏହାକୁ ନେଇ ସେ ସମୟରେ ବେଶ୍ ଚର୍ଚ୍ଚା ହୋଇଥିଲା । ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା ସେନେଇ ପାରଳାଖେମୁଣ୍ଡି ପୋଲିସ ଓ ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ଖୋଳତାଡ଼ କରିଥିଲେ ।

Get real time updates directly on you device, subscribe now.