କୁମ୍ଭମେଳା ପରି ରଥଯାତ୍ରାରେ ସେବା ଯୋଗାଇବ ଆଦାନୀ ଗ୍ରୁପ୍

ରଥଯାତ୍ରା ସମୟରେ ପ୍ରାୟ ୪୦ ଲକ୍ଷ ଲୋକଙ୍କ ପାଇଁ ଭୋଜନ ଓ ଥଣ୍ଡା ପାନୀୟର ବ୍ୟବସ୍ଥା କରିବ ଆଦାନୀ ଗ୍ରୁପ।

ପୁରୀ: ଚଳିତ ବର୍ଷ ରଥଯାତ୍ରା ହେବ କିଛି ନିଆରା। ଏହି ବର୍ଷ ମଧ୍ୟ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି। ରାତି ପାହିଲେ ରଥଯାତ୍ରା। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଲାଣି। ପ୍ରଶାସନ ମଧ୍ୟ ସଜାଗ ରହିଛି।

ଆଉ ଏହାରି ଭିତରେ ରଥଯାତ୍ରା ସମୟରେ ଏକ ବଡ଼ ଘୋଷଣା କରିଛି ଆଦାନୀ ଗ୍ରୁପ୍।  କୁମ୍ଭମେଳା ପରି ରଥଯାତ୍ରାରେ ମଧ୍ୟ ସେବା ଯୋଗାଇବ ଆଦାନୀ ଗ୍ରୁପ୍।

ଜୁନ୍ ୨୬ରୁ ଅର୍ଥାତ୍ ଆଜିଠାରୁ ଜୁଲାଇ ୮ ତାରିଖ ଯାଏଁ ନିଃସ୍ୱାର୍ଥପର ସେବା ଯୋଗାଇବ ଆଦାନୀ ଗ୍ରୁପ। ଶ୍ରଦ୍ଧାଳୁଙ୍କ ସହ ରଥଯାତ୍ରାରେ ନିୟୋଜିତ କର୍ମଚାରୀଙ୍କୁ ସେବା ଯୋଗାଯିବ ବୋଲି ଆଦାନୀ ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରାୟ ୪୦ ଲକ୍ଷ ଲୋକଙ୍କ ପାଇଁ ଭୋଜନ ଓ ଥଣ୍ଡା ପାନୀୟର ବ୍ୟବସ୍ଥା କରିବ ଆଦାନୀ ଗ୍ରୁପ। ଲାଇଫଗାର୍ଡ, ବେଳାଭୂମି ସଫେଇ କର୍ମଚାରୀଙ୍କୁ ମାଗଣା ଟି-ସାର୍ଟ ଦବ ଆଦାନୀ ଗ୍ରୁପ। ଜିଲ୍ଲା ପ୍ରଶାସନ, ଇସ୍କନ ଓ ସ୍ୱେଚ୍ଛାସେବୀ ସଂଗଠନ ସହଭାଗୀତାରେ ଏହି ସେବା ହେବ।  ‘ସେବା ହିଁ ସାଧନା’ରେ ବିଶ୍ୱାସ କରନ୍ତି ଗୌତମ ଆଦାନୀ।