fbpx
BSKY
BJD YOUTH SKY
BJD MS SKY

ଗ୍ରୁପ୍ ପ୍ରସଙ୍ଗରେ ସଂସଦରେ ବିରୋଧୀଙ୍କ ଝଡ଼, ତଦନ୍ତ କରି ଦୈନିକ ରିପୋର୍ଟ ମିଳିତ ସଂସଦୀୟ କମିଟିକୁ ଜଣାଇବାକୁ ଦାବି

ନୂଆଦିଲ୍ଲୀ: ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଲା ପରେ ବଦଳି ଯାଇଛି ଭାରତର କୋଟିପତି ବ୍ୟକ୍ତି ଗୌତମ ଆଦାନୀଙ୍କ ଭାଗ୍ୟ। ଦିନିକୁ ଦିନ ଏବେ ଆଦାନୀଙ୍କ ପାଇଁ ସ୍ଥିତି ଜଟିଳ ହେବାକୁ ଯାଉଛି। ସେୟାର ବଜାରରେ ଆଦାନୀ ସମୁହ ଗୁଡ଼ିକର ଷ୍ଟକ୍ ତଳମୁହାଁ ରହିଥିବା ବେଳେ ଏଥିରେ ନିକଟ ଭବିଷ୍ୟତରେ କୌଣସି ସୁଧାର ନଜର ଆସୁନାହିଁ। ଅନ୍ୟପଟେ ଆଜି ସଂସଦରେ ବିରୋଧୀ ଦଳମାନେ ଆଦାନୀ ସମୁହର ହ୍ରାସ ପାଉଥିବା ଷ୍ଟକ୍ ଏବଂ ଏଫପିଓ ଫେରାଇ ନେବା ଉପରେ ତଦନ୍ତ କରିବାକୁ ଦାବି କରିଛନ୍ତି।

ବୁଧବାର ଦିନ ଆଦାନୀ ଗ୍ରୁପ୍ ହଠାତ୍ ଆଦାନୀ ଏଣ୍ଟରପ୍ରାଇଜେସ୍ ର ଏଫପିଓ ରଦ୍ଦ କରିବାକୁ ଘୋଷଣା କରିଥିଲା। ଏଥିସହିତ ଫୋର୍ବସ୍ ରିପୋର୍ଟରେ କୁହାଯାଇଛି ଯେ ଗୌତମ ଆଦାନୀ ନିଜେ ତାଙ୍କ ଏପପିଓରେ ବଡ଼ ଆକାରର ଟଙ୍କା ଲଗାଉଥିଲେ। ଏହି ସବୁ ମାମଲା ମଧ୍ୟରେ ଗୁରୁବାର ଦିନ ବିରୋଧୀ ଦଳ ଏକ ବୈଠକ କରିଥିଲେ ଏବଂ ଏହା ପରେ ସେମାନେ ସଂସଦୀୟ ପ୍ୟାନେଲ କିମ୍ବା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଦ୍ୱାରା ଗୌତମ ଆଦାନୀଙ୍କ ବିରୋଧରେ ଠକେଇ ଅଭିଯୋଗର ତଦନ୍ତ ଦାବି କରିଥିଲେ । ଉତ୍ତେଜନା ମଧ୍ୟରେ ସଂସଦର ପ୍ରକ୍ରିୟା ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

ଆମେରିକାର ସର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀଙ୍କ ଅଂଶଧନ ବହୁ ମାତ୍ରାରେ ହ୍ରାସ ପାଇଛି । ଏଥି ସହିତ ସଂସଦର ନିୟମିତ ପ୍ରକ୍ରିୟା ସ୍ଥଗିତ ରଖାଯିବା ଉଚିତ ଏବଂ ଭାରତୀୟ ନିବେଶକଙ୍କ ବିପଦ ବିଷୟରେ ଆଲୋଚନା କରାଯିବା ଉଚିତ ବୋଲି ବିରୋଧୀଦଳ ଦାବି କରିଛନ୍ତି । ଅଭିଯୋଗ ହେବା ପରେ ଆଦାନୀ ଗ୍ରୁପ୍ ୧୦୦ ବିଲିୟନ ଡଲାର କ୍ଷତି ସହିଛି । ସୂଚନାଯୋଗ୍ୟ ଯେ ଲାଇଫ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲଆଇସି) ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ମଧ୍ୟ ଆଦାନୀ ଗ୍ରୁପରେ ପୁଞ୍ଜି ବିନିଯୋଗ କରିଛନ୍ତି ।

ଗୁରୁବାର ସଂସଦ ଆରମ୍ଭରୁ ବିରୋଧୀ ଦଳର ନେତାମାନେ ବୈଠକ କରିଥିଲେ । ଏହାପରେ ଚାଲିଥିବା ବଜେଟ୍ ଅଧିବେସନରେ ସରକାରଙ୍କୁ ଏହି ବିଷୟରେ ଘେରିବାକୁ ନିଷ୍ପତି ନେଇଥିଲେ ଏବଂ ଏହି ମାମଲାରେ ସଂସଦରେ ଆଲୋଚନା କରିବାକୁ ଦାବି କରିଥିଲେ । ଏହାକୁ ନେଇ ସଂସଦରେ ହଙ୍ଗାମା ମଧ୍ୟ ହୋଇଥିଲା । ଏହି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଟିଏମସିର ପ୍ରତିନିଧୀଙ୍କ ସହ ଆମ୍ ଆଦମୀ ପାର୍ଟି, ସମାଜବାଦି ପାର୍ଟି, ଡିଏମକେ, ଜେଡିୟୁ ଏବଂ ବାମପନ୍ଥୀ ଦଳ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.