fbpx
BSKY
BJD SHG SKY
BJD MC SKY

‘ମୁଁ ଆପଣଙ୍କୁ କ୍ଷମା ମାଗୁଛି, ଆପଣ ଏହାକୁ ଗ୍ରହଣ କରନ୍ତୁ’: ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ କଂଗ୍ରେସ ନେତା ଅଧୀର ରଞ୍ଜନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ଭଳି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶେଷରେ କ୍ଷମା ମାଗିଛନ୍ତି । ଅଧୀର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଚିଠି ଲେଖି କ୍ଷମା ପ୍ରାର୍ଥନା କରିଛନ୍ତି । କହିବା ବେଳେ ମୋ ପାଟିରେ ଭୁଲବଶତଃ ଏପରି ଶବ୍ଦ ବାହାରି ଯାଇଥିଲା । ସେଥିପାଇଁ ମୁଁ ଆପଣଙ୍କୁ କ୍ଷମା ମାଗୁଛି, ଆପଣ ଏହାକୁ ଗ୍ରହଣ କରିବାକୁ ଅନୁରୋଧ ବୋଲି ଅଧୀର ଚିଠିରେ ଉଲ୍ଲେଖ କରିଛନ୍ତି ।

ଅଧୀରଙ୍କ ‘ରାଷ୍ଟ୍ରପତ୍ନୀ’ ବୟାନ ପରେ ସାରା ଦେଶରେ ବିରୋଧାଭାସ ଦେଖିବାକୁ ମିଳିଥିଲା । ଏହାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ । ତେବେ ହିନ୍ଦି କମ୍ ଜାଣିଥିବାରୁ ସେ ଏପରି ଭୁଲ୍ ମନ୍ତବ୍ୟ ଦେଇଥିବା ସଫେଇ ଦେଇଥିଲେ ସାଂସଦ ଅଧୀର । ଏଥିସହିତ ପାଖଣ୍ଡିମାନଙ୍କ ଆଗରେ ନୁହେଁ, ରାଷ୍ଟ୍ରପତିଙ୍କୁ ଭେଟି କ୍ଷମା ପ୍ରାର୍ଥନା କରିବେ ବୋଲି ଅଧୀର ପୂର୍ବରୁ ସୂଚନା ଦେଇଥିଲେ ।

ମୌସୁମୀ ଅଧିବେଶନର ଗୃହକାର୍ଯ୍ୟ ଚାଲିଥିବା ବେଳେ ଅଧୀରଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ସଂସଦରେ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭରେ ଭୟଙ୍କର ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଅଧୀର କ୍ଷମା ମାଗନ୍ତୁ ବୋଲି ଶାସକ ବିଜେପି ପକ୍ଷରୁ କୁହାଯାଇଥିଲା । ସେହିପରି ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ମଧ୍ୟରେ ମଧ୍ୟ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.