Emerging ଟି-୨୦ ଏସିଆ କପ ୨୦୨୪: ଶ୍ରୀଲଙ୍କାକୁ ହରାଇ ଆଫଗାନିସ୍ତାନ ଚାମ୍ପିୟନ

ନୂଆଦିଲ୍ଲୀ: ଏସିସି ପୁରୁଷ ଇମର୍ଜିଂ ଟି-୨୦ ଏସିଆ କପ ୨୦୨୪ରେ ଚାମ୍ପିୟନ ହୋଇଛି ଆଫଗାନିସ୍ତାନ ‘ଏ’ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ‘ଏ’ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୩ ରନ୍ ସଂଗ୍ରହ କରିଥିଲା । ଜବାବରେ ଆଫଗାନିସ୍ତାନ ‘ଏ’ ମାତ୍ର ୩ଟି ୱିକେଟ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଏହା ପୂର୍ବରୁ ପ୍ରଥମ ସେମିଫାଇନାଲରେ ପାକିସ୍ତାନକୁ ୭ ୱିକେଟରେ ହରାଇ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଦ୍ୱିତୀୟ ସେମିଫାଇନାଲରେ ଭାରତକୁ ହରାଇ ଆଫଗାନିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା ।

ଶ୍ରୀଲଙ୍କା ଆଜି ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ମାତ୍ର ୧୫ ରନରେ ୪ଟି ୱିକେଟ ହରାଇ ବଡ଼ ସଙ୍କଟରେ ପଡ଼ିଥିଲା । ଏହାପରେ ସହନ ଆରାଚିଜେ ଗୋଟିଏ ପଟେ ଦଳକୁ ସମ୍ଭାଳିବା ସହ ୬୪ ରନରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଫଳରେ ଦଳ ଏତେବଡ଼ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା । ଆଫଗାନିସ୍ତାନ ପକ୍ଷରୁ ବିଲାଲ ସାମି ସର୍ବାଧିକ ୩ଟି ଓ ଆଲ୍ଲା ଘାଜନଫାର ୨ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଆଫଗାନିସ୍ତାନ ୧୮.୧ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା । ଓପନର ସେଦିକ୍ୟୁଲ୍ଲା ୫୫ ରନ କରି ଅପରାଜିତ ରହିଥିଲେ । ଶ୍ରୀଲଙ୍କା ପକ୍ଷରୁ ସହନ ଆରାଚିଜେ, ଦଶନ ହେମନ୍ଥା ଓ ଇଶାନ ମାଲିଙ୍ଗା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।