fbpx

କରୋନା ପରେ ନିପା ଭାଇରସ ପାଇଁ ଦିଆଯିବ Vaccine: ଡେଙ୍ଗୁ-ଟିବିର ଟୀକା ବି ପ୍ରସ୍ତୁତ…

Advertisement

ନୂଆଦିଲ୍ଲୀ: କରୋନା ମହାମାରୀରୁ ମୁକ୍ତ ହେବା ପରେ ଭାରତକୁ ଏବେ ଘାରିଛି ନିପା ଭାଇରସ ଆତଙ୍କ । କେରଳରେ ବର୍ତ୍ତମାନ ସୁଦ୍ଧା ୬ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଭାଇରସର ସଂକ୍ରମଣ ଆହୁରି ବଢିବା ନେଇ ଆଶଙ୍କା ରହିଛି । ତେଣୁ ନିପା ଭାଇରସକୁ ନେଇ ବୃଦ୍ଧି ପାଉଥିବା ବିପଦର ଆଶଙ୍କା ପୂର୍ବରୁ ସତର୍କ ହୋଇଛି ଆଇସିଏମଆର । ଭାଇରସ ବିରୋଧରେ ଲଢିବା ପାଇଁ ସଂସ୍ଥା ପକ୍ଷରୁ ଭ୍ୟାକ୍ସିନ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହାବ୍ୟତୀତ ଦେଶରେ ଡେଙ୍ଗୁ ଏବଂ ଟିବି ଭଳି ରୋଗର ଟୀକା ମଧ୍ୟ ଖୁବଶୀଘ୍ର ଉପଲବ୍ଧ ହେବ ।

ଆଇସିଏମଆର ମହାନିର୍ଦ୍ଦେଶକ ଡା. ରାଜୀବ ବହଲ କହିଛନ୍ତି ଯେ, ଖୁବଶୀଘ୍ର ନିପା ଭାଇରସକୁ ମାତ୍ ଦେବା ପାଇଁ ଟୀକା ଉପଲବ୍ଧ କରାଇ ଦିଆଯିବ । ଏହାସହିତ ରୋଗ ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ଆଇସିଏମଆର ପକ୍ଷରୁ ଟୀକା ପ୍ରସ୍ତୁତି ଉପରେ ପ୍ରାଥମିକ ରିସର୍ଚ୍ଚ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ଡା. ରାଜୀବ । ସେ ଆହୁରି କହିଛନ୍ତି ଯେ, କୌଣସି ନୂଆ ଇନଫେକ୍ସନ ବ୍ୟାପିଲେ ମାତ୍ର ୧୦୦ ଦିନ ମଧ୍ୟରେ ଏହାର ପ୍ରତିରୋଧକ ଟୀକା ପ୍ରସ୍ତୁତ କରାଯାଇପାରିବ । ନିପା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ଏନଆଇବି ପୁଣେରୁ ବିଏସଏଲ ଥ୍ରୀ ମୋବାଇଲ ଲ୍ୟାବକୁ ସେଠାକୁ ପଠାଯାଇଛି । ଏହାଦ୍ୱାରା ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ କମ୍ ସମୟ ମଧ୍ୟରେ ଭାଇରସ ସମ୍ବନ୍ଧରେ ତଥ୍ୟ ମିଳିପାରିବ । ବର୍ତ୍ତମାନ ସୁଦ୍ଧା ଭାରତରେ ୬ ଜଣ ନିପା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ସାରା ବିଶ୍ୱରେ ଏହି ସଂଖ୍ୟା ୧୦୦ ପାର୍ କରିଛି ।

ତେବେ ନିପା ଭାଇରସ ବ୍ୟତୀତ ଆଇସିଏମଆର ଡେଙ୍ଗୁ ଏବଂ ଟିବି ରୋଗ ବିପକ୍ଷରେ ମଧ୍ୟ ଟୀକା ପ୍ରସ୍ତୁତି ଆରମ୍ଭ କରିଛି । ବର୍ତ୍ତମାନ ଏହି ଦୁଇ ରୋଗ ମଧ୍ୟ ସାରା ଦେଶରେ ଚିନ୍ତାର ବିଷୟ ପାଲଟିଛି । ଆସନ୍ତା ୨-୩ ମାସ ଭିତରେ ଡେଙ୍ଗୁ ଟୀକାର ଟ୍ରାଏଲ ଆରମ୍ଭ ହେବ ବୋଲି କହିଛନ୍ତି ଡା. ରାଜୀବ । ସେହିପରି ଖୁବ କମ୍ ଦିନ ଭିତରେ ଟିବି ପାଇଁ ଭ୍ୟାକ୍ସିନକୁ ନେଇ ମଧ୍ୟ ଆଇସିଏମଆର ଖୁସି ଖବର ଶୁଣାଇପାରେ ବୋଲି ଡା. ରାଜୀବ ବହଲ ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.