fbpx

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିବା ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଓଡ଼ିଶା ଭାସ୍କର: ଗତକାଲି ପୁରୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ଅଣହିନ୍ଦୁ। ଏହି ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ସିଂହଦ୍ୱାର ସାମ୍ନାରେ ଅଧିକ ସୁରକ୍ଷାକର୍ମୀଙ୍କୁ ନିଯୋଜିତ କରାଯାଇଛି । ଭକ୍ତଙ୍କୁ ଯାଞ୍ଚ କରିବା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଗତକାଲି ଜଣେ ହିନ୍ଦୁ ବ୍ୟକ୍ତିଙ୍କ ସହିତ ୩ ଜଣ ଅଣହିନ୍ଦୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ । ସମସ୍ତ ଅଣହିନ୍ଦୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । କେବଳ ସେତିକି ନୁହେଁ ସମସ୍ତେ ଆନନ୍ଦ ବଜାରରେ ପହଞ୍ଚି ଅବଢା ଖାଇବା ସହ ହାତରେ ଅବଢା କୁଡୁଆ ଧରି ଫେରିଥିଲେ। ମୋଟ୍ ୯ ଜଣ ଆସିଥିବାବେଳେ ୪ ଜଣ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଅନ୍ୟ ୫ ଜଣ ବାହାରେ ଥିଲେ। ତେବେ ବାହାରେ ଥିବା ଉକ୍ତ ୫ ଜଣ ବ୍ୟକ୍ତି ପରିକ୍ରମା ମାର୍ଗରେ ବସିଥିବା ବେଳେ ସେମାନେ ଅଣହିନ୍ଦୁ ବୋଲି ସନ୍ଦେହ ହେବାରୁ ସ୍ଥାନୀୟ ଲୋକେ ସେମାନଙ୍କ ପରିଚୟ ପଚାରିଥିଲେ। ସେମାନେ ନିଜର ପରିଚୟ ଦେବା ସହିତ ୪ ଜଣ ବନ୍ଧୁ ଶ୍ରୀମନ୍ଦିର ଭିତରକୁ ଯାଇଥିବା କହିଥିଲେ। ଏହାପରେ ସ୍ଥାନୀୟ ଯୁବକମାନେ ସେମାନଙ୍କ ଫେରିବା ରାସ୍ତାକୁ ଚାହିଁ ବସିଥିଲେ। ସେମାନେ ମହାପ୍ରସାଦ ଧରି ବାହାରିବା ବେଳେ ସେମାନଙ୍କୁ ଧରିଥିଲେ। ଏବଂ ଏହା ପରେ ପୋଲିସକୁ ଖବର ଦେଇଥିଲେ। ତେବେ ସମସ୍ତ ୯ ଜଣଙ୍କୁ ସିଂହଦ୍ୱାର ଥାନା ପୁଲିସ ଅଟକ ରଖିଛି। କେମିତି ଏବଂ କେଉଁ ପରିସ୍ଥିତିରେ ଏମାନେ ଶ୍ରୀମନ୍ଦିର ପ୍ରବେଶ କଲେ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ଘଟଣାର ଖୋଳତାଡ଼ ଜାରି ରଖିଛି ସିଂହଦ୍ୱାର ପୁଲିସ। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି। ଏତଲା ଦିଆଯିବା ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.