ଗାଜା ଉପରେ କିଏ କରିବ ଶାସନ, କାହା ହାତକୁ ଯିବ ଶାସନ ଡୋରି?

ଜେରୁଜେଲମ: ଏକ ବର୍ଷରୁ ଅଧିକ ସମୟ ଧରି ହମାସ ସହ ଯୁଦ୍ଧ କରିବା ପରେ ଇଜରାଏଲକୁ ମିଳିଛି ସଫଳତା । ବର୍ଷେ ତଳେ ତେଲ ଅଭିବ ଉପରେ ଆକ୍ରମଣ କରି ପ୍ରାୟ ୧୨ଶହ ନାଗରିକଙ୍କୁ ମାରିବାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ୟାହ୍ୱା ସିନୱରକୁ ମାରିଛି ଇଜରାଏଲ ସେନା । ଯାହାକୁ ନେଇ ଇଜରାଇଲ ଖୁସି ମନଉଛି । ହେଲେ ଗାଜା ଉପରେ ରାଜ କରୁଥିବା ହମାସ ମୁଖିଆର ମୃତ୍ୟୁ ପରେ ଗାଜାର କଣ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏତେ ବଡ ଘଟଣା ପରେ ହମାସ ପାଇଁ ଓକିଲାତି କରୁଥିବା କୌଣସି ମୁସଲମାନ ଦେଶ ଏହା ଉପରେ ପ୍ରତିକ୍ରିୟା ଦେଇନାହିଁ । ଗାଜାରେ ମଧ୍ୟ ନିରବତା ରାଜୁତି କରୁଛି । କେହି କିଛି କହିବାକୁ ପଛ ଘୁଞ୍ଚା ଦେଉଛନ୍ତି । ଏହାର କାରଣ ହେଉଛି, ଇଜରାଇଲ ପ୍ରତି ଭୟ । ହେଲେ ଗାଜାବାସୀଙ୍କ ମଧ୍ୟରେ ଆନନ୍ଦ । କାରଣ ଗାଜାର ୬୫ ପ୍ରତିଶତ ଲୋକ ସିନୱରକୁ ନେଇ ଅସନ୍ତୁଷ୍ଟ ଥିଲେ । ସିନୱର ପାଇଁ ଗାଜାପଟ୍ଟି ଧ୍ୱଂସ ହୋଇଥିବା ଓ ବହୁ ଲୋକ ପ୍ରାଣ ହରାଇଥିବାରୁ ଲୋକଙ୍କ ଭିତରେ ଆକ୍ରୋଶ ରହିଥିଲା ।

ତେବେ ସିନୱରର ମୃତ୍ୟୁ ପରେ କଣ ହମାସ ଶେଷ ହୋଇଯିବ, ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଉକ୍ରଣ୍ଠା ରହିଛି । ତେବେ ଫିଲିସ୍ଥାନୀ ଚରମପନ୍ଥୀ ଗୋଷ୍ଠୀ ହମାସର ଗାଜାରେ ହେଡକ୍ୱାଟର ଥିବା ସହ ଗାଜାପଟ୍ଟି ଉପରେ ହମାସର ଶାସନ ଥିଲା । ତେବେ ଏହା କୌଣସି ନିର୍ବାଚିତ ସରକାର ନ ଥିଲା । ୨୦୦୭ରୁ ଜୋରଜବରଦସ୍ତି ହମାସ ଗାଜାକୁ ନିଜ ଅକ୍ତିଆରକୁ ନେଇଥିଲା ।

କିନ୍ତୁ ଗତ ବର୍ଷରୁ ଇଜରାଇଲ ସହ ହମାସର ଲଢେଇରେ ସଂଗଠନ ତାର ସମସ୍ତ ବଡ ବଡ ନେତାଙ୍କୁ ହରାଇ ସାରିଛି । ତେଣୁ ଗାଜା ଉପରେ ହମାସ ଶାସନର ଅନ୍ତ ଘଟିଛି ବୋଲି ଆକଳନ କରାଯାଉଛି । ତେବେ ବର୍ତ୍ତମାନ ପାଇଁ ଗାଜାର ଏକମାତ୍ର ଦାବିଦାର ଫିଲିସ୍ଥାନୀ ଅଥୋରିଟି ଆଖିକୁ ଆସୁଛି । କାରଣ ୨୦୦୬ରେ ହୋଇଥିବା ନିର୍ବାଚନରେ ଫିଲିସ୍ଥାନୀ ଅଥୋରିଟି ବିଜୟ ହାସଲ କରିଥିଲା ଓ ସରକାର ଗଠନ କରିଥିଲା . କିନ୍ତୁ ପରେ ହମାସ ଶାସନକୁ ହାଇଜାକ କରିନେଇଥିଲା । ଏବେ ଆନ୍ତର୍ଜାତିକ ସମୁଦାୟର ସହମତିରେ ରାଷ୍ଟ୍ରପତି ମହମୁଦ ଅବ୍ୱାସ ସରକାର ଗଠନ କରି ପାରିବେ ।

ଗୁରୁବାର ସିନୱରର ମୃତ୍ୟୁ ନେଇ ଇଜରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜିମିନ ନେତାନ୍ୟାହୁ ଘୋଷଣା କରିଥିଲେ । ଏହା ଘୋଷଣା ପରେ ମୁସଲିମ ରାଷ୍ଟ୍ର ସାଉଦୀ ଆରବରେ ଖୁସିର ମାହୋଲ ଖେଳିଯାଇଛି । ଲୋକ ରାସ୍ତାରେ ବାଣ ଫୁଟାଇ ଉତ୍ସବ ମନଉଛନ୍ତି ।

Get real time updates directly on you device, subscribe now.