fbpx

(Video) ସହିଦ ସୁଶାନ୍ତଙ୍କ ଯିବାର ଦୁଃଖ ସହିପାରିଲେନି ମା’: ପୁଅକୁ ଝୁରିଝୁରି ଚାଲିଗଲା ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୧ ତାରିଖରେ ଝାଡ଼ଖଣ୍ଡର ଚାଇବସାରେ ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିଲେ ଓଡ଼ିଆ ପୁଅ ବୀର ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ୱାର୍ଡର ବାସିନ୍ଦା ସୁଶାନ୍ତଙ୍କ କାହାଣୀ ଯେ କେହି ବି ଶୁଣିଥିଲା କାନ୍ଦି ପକାଇଥିଲା । ୨୦୨୦ ମସିହା ଫେବୃଆରୀ ମାସ ୭ ତାରିଖରେ ସୁଶାନ୍ତଙ୍କର ପିତା ଆତୁଳ ଖୁଣ୍ଟିଆଙ୍କ ପରଲୋକ ଘଟିଥିଲା ।

ଏହାପରେ ୨୦୨୨ ମସିହାରେ ସୁଶାନ୍ତଙ୍କର ମଝିଆଁ ଭାଇ କ୍ୟାନସରରେ ପ୍ରାଣ ହରାଇଥିଲେ । ସେହିପରି ଜାମସେଦପୁରରେ ଚାକିରି କରୁଥିବା ସମୟରେ ଚଳିତ ବର୍ଷ ଜାନୁଆରୀ ମାସରେ ତାଙ୍କର ବଡ଼ ଭାଇ ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ମାତ୍ର କିଛି ବର୍ଷ ମଧ୍ୟରେ ସୁଶାନ୍ତଙ୍କର ପରିବାର ପୁରୁଷଶୂନ୍ୟ ହୋଇଯିବା କଥା ଶୁଣିବା ପରେ ଅଶ୍ରୁଳ ସାଗରେ ବୁଡ଼ିଯାଇଥିଲା ସାରା ଓଡ଼ିଶା । ସେହିପରି ଗତ ଜୁନ୍ ମାସ ୨ ତାରିଖରେ ବିବାହ କରିଥିବା ସୁଶାନ୍ତଙ୍କୁ ହରାଇ ବାରମ୍ବାର ଅଚେତ୍ ହୋଇପଡ଼ିଥିଲେ ତାଙ୍କର ଧର୍ମପତ୍ନୀ ।

ଅନ୍ୟପକ୍ଷରେ ମେଡିକାଲର ବେଡରେ ଚିକିତ୍ସିତ ହେଉଥିବା ମାଆ ସୁଶାନ୍ତଙ୍କର ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ । ତେବେ ଏତିକିରେ ଦୁଃଖ ସରିନାହିଁ । ପୁଣି ଆସିଛି ଏକ ବଡ଼ ଦୁଃଖ ଖବର । ସ୍ୱାମୀ, ଦୁଇ ଦୁଇଟା ପୁଅ ପରେ ଏବେ ସୁଶାନ୍ତଙ୍କ ମୃତ୍ୟୁର ଦାରୁଣ ଦୁଃଖରେ ଭାଙ୍ଗି ପଡ଼ିଥିଲେ ସୁଶାନ୍ତଙ୍କ ମା’ । ପୁଅକୁ ଝୁରିଝୁରି ଶେଷରେ ମାଆ ମଧ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିଦେଇଛନ୍ତି । ଦେଶ ପାଇଁ ଲଢ଼ି ଜୀବନ ଦେଇଥିବା ଜଣେ ଯବାନଙ୍କ ମୃତ୍ୟୁ ପରେ ବି ତାଙ୍କ ପରିବାରରୁ ଦୁଃଖର ବାଦଲ ହଟୁନାହିଁ । ହେ ଭଗବାନ… ଏମିତି ଦୁଃଖ କାହା ଜୀବନରେ ନ ଆସୁ ।

Get real time updates directly on you device, subscribe now.