fbpx

‘Mo Bus’ରୁ ୫୦ ହଜାର ଲୁଟିନେଲେ ଦୁର୍ବୃତ୍ତ: ଝିଅ ଘରକୁ ଭାର ପାଇଁ ନେଉଥିଲେ ଟଙ୍କା

ବାରଙ୍ଗ: ଓଡିଶା ସରକାରଙ୍କ ତରଫରୁ ଲୋକଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ‘ମୋ ବସ୍’ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ସୁରକ୍ଷା ବ୍ୟବସ୍ଥା ଦିନକୁ ଦିନ ଭୁଷୁଡିବାରେ ଲାଗିଛି । ମୋ ବସ୍ ସେବାରେ ବୃଦ୍ଧି ପାଉଛି ଅପରାଧୀକ କାର୍ଯ୍ୟକଳାପ । ବାରମ୍ବାର ମୋ ବସ୍ ରୁ ଚୋରି ଏବଂ ଲୁଟ ଭଳି ମାମଲା ରୁଜୁ ହେଉଛି । ଆଜି ମୋ ବସରେ ଯିବା ବେଳେ ଜଣେ ବ୍ୟକ୍ତିଙ୍କ ପକେଟରୁ ୫୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ୧୮ ନମ୍ବର ‘ମୋ ବସ’ରେ କୃଷକ ରାଜକିଶୋର ଜେନା ବାଙ୍କୀରୁ ଭୁବନେଶ୍ୱର ଆସୁଥିଲେ । ତେବେ ବାଟରେ ହିଁ ଲୁଟେରାଙ୍କ ଶିକାର ହୋଇଛନ୍ତି ରାଜକିଶୋର । ପକେଟରେ ଥିବା ୫୦ ହଜାର ଟଙ୍କାକୁ କେହି ଜଣେ ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି । ଭୁବନେଶ୍ୱର ଆସିବା ବାଟରେ ଜଣେ ଲୁଟେରା ତାଙ୍କଠୁ ଏହି ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ରାଜ କିଶୋର । ଏ ନେଇ ସେ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । କାନ୍ଦି କାନ୍ଦି ସେ ନିଜ ଟଙ୍କା ଫେରାଇବା ସହ ଲୁଟେରାକୁ ଧରିବା ପାଇଁ ଗୁହାରି କରିଛନ୍ତି ।

ସେ କହିଛନ୍ତି ଯେ, ବହୁ କଷ୍ଟରେ ଚାଷ କରି ଏହି ଟଙ୍କା ରୋଜଗାର କରିଥିଲେ । ଝିଅ ବାହାଘରର ମର୍ଯ୍ୟାଦା(ଭାର) ପାଇଁ ଟଙ୍କା ନେଇ ଆସୁଥିବା ବେଳେ ମୋ ବସରୁ କେହି ଜଣେ ଦୁର୍ବୃତ୍ତ ସମସ୍ତ ଟଙ୍କା ଲୁଟ କରି ନେଇଛି । ଏହି ଘଟଣା ପୂର୍ବରୁ ଭୁବନେଶ୍ୱରରେ ମୋବସରୁ ଲୁଟ ଘଟଣା ଅନେକ ଥର ଦେଖିବାକୁ ମିଳିଛି । ତେଣୁ ଏ ନେଇ ସରକାର କିଛି ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.