fbpx

ଓଡ଼ିଶା ବିଧାନସଭାରେ ପୁଣି ବଢ଼ିବ ବିଜେପି ବିଧାୟକଙ୍କ ସଂଖ୍ୟା! ପୁଣି ଜଣେ ସ୍ୱାଧୀନ ବିଧାୟକ ପଦ୍ମ ଧରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ସ୍ଥିତି ବେଶ୍ ଚଳଚଞ୍ଚଳ ରହିଛି । ଆଜି ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହାପରେ ଆସନ୍ତାକାଲି ବିଜେପି ବିଧାୟକ ଦଳ ନେତା ଚୟନ ହେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ତେଣୁ କିଏ ମୁଖ୍ୟମନ୍ତ୍ରୀ ହେବ, କେଉଁମାନେ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି ।

ଚଳିତ ବିଧାନସଭା ନିର୍ବାଚନରେ ପ୍ରଥମ ଥର ସଂଖ୍ୟାଗରିଷ୍ଠତା ହାସଲ କରି ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଛି । ଅନ୍ୟପକ୍ଷରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡିର ଶାସନରେ ଲାଗିଛି ରୋକ । ତେବେ ଏଭଳି ରାଜନୈତିକ ବ୍ୟସ୍ତତା ଲାଗି ରହିଥିବା ଏହି ସମୟରେ ରାଜ୍ୟ ବିଜେପି ପାଇଁ ଆସିଛି ପୁଣି ଏକ ଖୁସି ଖବର । ପୁଣି ଜଣେ ସ୍ୱାଧୀନ ବିଧାୟକ ପଦ୍ମ ଧରିବେ । ୩ ଦିନ ପୂର୍ବରୁ ଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ । ଫଳରେ ଦଳର ମୋଟ ସଦସ୍ୟ ସଂଖ୍ୟା ୭୮ରୁ ବୃଦ୍ଧି ପାଇ ୭୯ରେ ପହଞ୍ଚି ଯାଇଥିଲା ।

ତେବେ ଏହା ମଧ୍ୟରେ ପୁଣି ଆସିଛି ଏକ ବଡ଼ ଖୁସି ଖବର । ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ବିଧଶୟକ ବିଜୟ କୁମାର ଦଳବହେରା ବିଜେପିରେ ସାମିଲ ହେବେ । ଚଳିତ ନିର୍ବାଚନରେ ବିଜୟ ବିଜେଡିର ହେଭିୱେଟ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ପରାସ୍ତ କରିଥିଲେ । ଖୁବଶୀଘ୍ର ବିଜୟଙ୍କର ଘର ବାହୁଡ଼ା ହେବ ବୋଲି କୁହାଯାଉଛି । ବିଜୟ ମଧ୍ୟ ଦଳ ସହିତ ରହି ଲୋକଙ୍କର ସେବା ଜାରି ରଖିବେ ବୋଲି କହିଛନ୍ତି । ଚଳିତ ନିର୍ବାଚନରେ ଜନସାଧାରଣଙ୍କ ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ତାଙ୍କ ପାଇଁ ନିର୍ବାଚନ ଲଢ଼ୁଥିଲେ ବୋଲି ବିଜୟ କହିଛନ୍ତି । ତେବେ ବିଜୟ ବିଜେପିରେ ସାମିଲ ହେବା ଫଳରେ ବିଧାନସଭାରେ ଭାଜପାର ମୋଟ ସଦସ୍ୟ ସଂଖ୍ୟା ୮୦କୁ ବୃଦ୍ଧି ପାଇବ ।

Get real time updates directly on you device, subscribe now.