ଭୁବନେଶ୍ୱର ବିମାନବନ୍ଦରରେ ପୁଣି ବୋମା ଧମକ: ଚିଠି ମିଳିବା ପରେ ବିମାନରୁ ଓହ୍ଲାଇଲେ ଯାତ୍ରୀ, ଆରମ୍ଭ ହେଲା ଯାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବିମାନବନ୍ଦରରେ ପୁଣି ଥରେ ହଡ଼କମ୍ପ ମଚିଯାଇଛି । ପୁଣି ଥରେ ବିମାନବନ୍ଦରକୁ ଆସିଛି ଏକ ଧମକପୂର୍ଣ୍ଣ ଚିଠି । ଏହି ଧମକ ମିଳିବା ପରେ ବିମାନରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିସହିତ ବିମାନ ଛାଡ଼ିବାରେ ବିମମ୍ବ ହେବା ନେଇ ସୂଚନା ମଧ୍ୟ ଜାରି କରାଯାଇଛି । ଭୁବନେଶ୍ୱରରୁ ଦିଲ୍ଲୀ ଛାଡ଼ିବାକୁ ଥିବା ଏକ ବିମାନରୁ ଧମକପୂର୍ଣ୍ଣ ଚିଠି ମିଳିବା ପରେ ତନାଘନା ଆରମ୍ଭ ହୋଇଯାଇଛି । ଏହି ଚିଠି ମିଳିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଯାଞ୍ଚ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ମଧ୍ୟ ଭୁବନେଶ୍ୱର ଏୟାରକୋର୍ଟରେ ବୋମା ଧମକକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ଗତ ୨୪ ତାରିଖରେ ଗୋଟିଏ ପଟେ ବାତ୍ୟା ‘ଦାନା’କୁ ନେଇ ରାଜ୍ୟବାସୀ ଆଶଙ୍କା ଘେରରେ ରହିଥିବା ବେଳେ ଅନ୍ୟପଟେ ଆସିଥିଲା ବୋମା ଧମକ । ଭୁବନେଶ୍ୱର ସମେତ ଝାରସୁଗୁଡ଼ା ଏୟାରପୋର୍ଟକୁ ମଧ୍ୟ ଧମକ ଆସିଥିଲା । ଉକ୍ତ ଧମକପୂର୍ଣ୍ଣ କଲ୍ ମିଳିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଆଲର୍ଟ ଜାରି କରିବା ସହ କଡ଼ାକଡ଼ି ଯାଞ୍ଚ କରିଥିଲେ । ଏକକାଳୀନ ଦେଶର ୮୫ଟି ବିମାନବନ୍ଦରକୁ ଉଡ଼ାଇଦେବା ନେଇ ଧମକ ମିଳିଥିଲା ।