ଭାରତ-EFTA ମଧ୍ୟରେ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ: ୧୫ ବର୍ଷ ମଧ୍ୟରେ ନିବେଶ ହେବ ୧୦୦ ବିଲିୟନ ଡଲାର, ସୃଷ୍ଟି ହେବ ୧୦ ଲକ୍ଷ ଚାକିରି

ନୂଆଦିଲ୍ଲୀ: ଭାରତ ଓ ଚାରି ରାଷ୍ଟ୍ରର ୟୁରୋପିଆନ ଫ୍ରି ଟ୍ରେଡ ଆସୋସିଏସନ (ଏଫଟା) ମଧ୍ୟରେ ଆର୍ଥିକ କ୍ଷେତ୍ରରେ ଏକ ବଡ଼ ବୁଝାମଣା ସ୍ୱାକ୍ଷର କରାଯାଇଛି । ଏଫଟାରେ ସାମିଲ ଥିବା ଆଇସିଲାଣ୍ଡ, ଲିଚେନଷ୍ଟେନ, ନରୱେ ଓ ସ୍ୱିଜରଲାଣ୍ଡ ଆଦି ରାଷ୍ଟ୍ର ମଧ୍ୟରେ ଭାରତ ସରକାର ଟ୍ରେଡ ଓ ଇକୋନୋମିକ ପାର୍ଟନରଶିପ ଏଗ୍ରିମେଣ୍ଟ (ଟେପା) ସ୍ୱାକ୍ଷର କରିଛନ୍ତି । ଏହି ବୁଝାମଣା ଫଳରେ ଆଗାମୀ ୧୫ ବର୍ଷ ମଧ୍ୟରେ ୧୦୦ ବିଲିୟନ ଡଲାର ନିବେଶ କରାଯିବ । ଫଳରେ ଭାରତରେ ୧୦ ଲକ୍ଷ ଚାକିରି ସୃଷ୍ଟି ହେବ ବୋଲି କୁହାଯାଇଛି ।

ବିକଶିତ ପଶ୍ଚିମ ବିଶ୍ୱ ଓ ୟୁରୋପୀୟ ରାଷ୍ଟ୍ରମାନଙ୍କ ସହିତ ସହିତ ଭାରତ ସରକାର ପ୍ରଥମ ଥର ପାଇଁ ଏହି ବୁଝାମଣା ସ୍ୱାକ୍ଷର କରିଥିବା କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି । ଦୀର୍ଘ ୧୬ ବର୍ଷ ଧରି ଆଲୋଚନା କରାଯିବା ପରେ ଏହି ବୁଝାମଣା ସମ୍ଭବ ହୋଇଥିବା ସେ କହିଛନ୍ତି । ଏହା ଦ୍ୱାରା ଦେଶର ବାଣିଜ୍ୟ ଓ ବିଦେଶୀ ନିବେଶ ବୃଦ୍ଧି ପାଇବ । ଆଇପିଆର, ପରିବେଶ, ଟ୍ରେଡ ଓ ଜେଣ୍ଡର ଆଦି ଆଧୁନିକ ପ୍ରସଙ୍ଗ ଟେପା ଅଧିନରେ ଆସୁଥିବା ବେଳେ ଏହା ଭାରତର ରିସର୍ଜେଣ୍ଟକୁ ପ୍ରତିଫଳିତ କରିବ ବୋଲି ସେ କହିଛନ୍ତି ।

ଗତ ୨୦୦୮ ମସିହାଠାରୁ ଭାରତ ଓ ଏଫଟା ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବୁଝାମଣା ନେଇ ଆଲୋଚନା ଆରମ୍ଭ ହୋଇଥିଲା । ଘରୋଇ କ୍ଷେତ୍ରରେ ନିର୍ମାଣ ଓ ନିବେଶ ପାଇଁ ସେବାକୁ ସାମିଲ କରିବାକୁ ଭାରତ ସରକାର ସ୍ୱିସ୍ କମ୍ପାନୀଙ୍କ ନିକଟରେ ଦାବି କରିଥିଲେ । ଅନ୍ୟପକ୍ଷରେ ସ୍ୱିଜରଲାଣ୍ଡ ସରକାରଙ୍କ ତରଫରୁ ସମସ୍ତ ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ଛାଡ଼ କରାଯାଇଥିଲା । ଦେଶର ସ୍ୱାର୍ଥକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଭାରତ ସରକାର ସାମଗ୍ରୀ ଉପରେ ଶୂନ୍ୟ କଷ୍ଟମ ଡ୍ୟୁଟି ଲାଗୁ କରିବାକୁ ଇଚ୍ଛୁକ ଥିଲେ । ଟେପା ବୁଝାମଣା ପୂର୍ବରୁ ଏଫଟା ଗ୍ରୁପ ପାଖାପାଖି ୩୫ଟି ପାର୍ଟନର ଦେଶ ସହିତ ୨୯ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ (ଏଫଟି) ସ୍ୱାକ୍ଷର କରିସାରିଛି । ଏଫଟା ରାଷ୍ଟ୍ରଗୁଡ଼ିକ ୟୁରୋପୀୟ ସଂଘର ଏକ ଅଂଶ ହୋଇଥିବା ବେଳେ ସେମାନେ ବର୍ତ୍ତମାନ ଭାରତ ସହିତ ଏକ ଅନୁକୂଳ ବାଣିଜ୍ୟ ଉପଭୋଗ କରିବେ ।