ଅହମଦାବାଦ: ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୯ ଜଣ ପୀଡ଼ିତଙ୍କ ଡିଏନଏ ନମୁନା ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ମେଳ ଖାଇଛି। ଏହି ଦୁଃଖଦ ଘଟଣାରେ ପ୍ରାୟ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଦିନ ପ୍ରଥମ ମୃତଦେହ, ଖେଡାର ପୁନମା ବେନଙ୍କ ବୋଲି ଚିହ୍ନଟ ହେବା ପରେ, ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।
ସିଭିଲ ହସ୍ପିଟାଲର ଅତିରିକ୍ତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡକ୍ଟର ରାଜନୀଶ ପଟେଲଙ୍କ କହିବା ଅନୁସାରେ, ୧୧ ଜଣଙ୍କ ଡିଏନଏ ମ୍ୟାଚ ହୋଇଛି, ଏବଂ ଆଉ ଦୁଇଟି ମୃତଦେହ ଶୀଘ୍ର ହସ୍ତାନ୍ତର କରାଯିବ। ଗୁଜରାଟ ସରକାର ଓ ଫୋରେନସିକ ସାଇନ୍ସ ଲାବୋରେଟୋରୀ ଟିମ୍ ପୀଡ଼ିତଙ୍କ ପରିଚୟ ନିଶ୍ଚିତ କରିବା ପାଇଁ ତୀବ୍ର ଉଦ୍ୟମ ଜାରି ରଖିଛନ୍ତି। ମୃତଦେହଗୁଡ଼ିକ ଡିଏନଏ ପରୀକ୍ଷଣ ପରେ କୋଲ୍ଡ ଷ୍ଟୋରେଜରେ ରଖାଯାଇଛି।
ବିମାନରେ ୨୩୦ ଯାତ୍ରୀ, ୨ ପାଇଲଟ ଓ ୧୦ କ୍ରୁ ସଦସ୍ୟ ଥିଲେ, ଏବଂ କେବଳ ଜଣେ ବ୍ୟକ୍ତି ବଞ୍ଚିଥିବା ଜଣାପଡ଼ିଛି। ଗୁଜରାଟର ସ୍ୱାସ୍ଥ୍ୟ ମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି ଯେ, ଡିଏନଏ ମ୍ୟାଚିଂ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ଯାହା ପୀଡ଼ିତ ପରିବାରମାନଙ୍କୁ ଶୀଘ୍ର ସେମାନଙ୍କ ସ୍ୱଜନଙ୍କ ମୃତଦେହ ପ୍ରାପ୍ତିରେ ସହାୟକ ହେବ।
ଏହି ଘଟଣା ପରେ ଅହମଦାବାଦରେ ଶୋକର ଛାୟା ଖେଳିଯାଇଛି। ସରକାର ପୀଡ଼ିତ ପରିବାରମାନଙ୍କୁ ସମସ୍ତ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।