fbpx

ଯୁଦ୍ଧ ସମୟରେ ବାୟୁସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ, ସିଡିଏସ୍ ରାୱତଙ୍କୁ ଜବାବ ଦେଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତରେ ଥିଏଟର କମାଣ୍ଡ ଗଠନକୁ ନେଇ ପୂର୍ବରୁ ବହୁବାର ମିଡିଆରେ ଚର୍ଚ୍ଚା ହୋଇଥିଲା । ଏହି କମାଣ୍ଡ ଗଠନ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ଥଳ ସେନା, ନୌସେନା ପ୍ରସ୍ତୁତ ରହିଥିବା ବେଳେ କେବଳ ବାୟୁସେନା ଏହାର ବିରୋଧ କରିଆସୁଥିଲା । ଅପରପକ୍ଷେ ପ୍ରତିରକ୍ଷା ମୁଖ୍ୟ ତଥା ସାମରିକ ବ୍ୟାପାର ସଚିବ (ସିଡିଏସ୍) ଜେନେରାଲ ବିପିନ ରାୱତ ଏହା ସପକ୍ଷରେ ରହିଥିଲେ । ଭାରତୀୟ ବାୟୁସେନାକୁ ସିଡିଏସ ରାୱତ ପ୍ରତିରକ୍ଷା ଚାର୍ଟର କହିବା ସହ ସ୍ଥଳସେନାର ଏକ ସହାୟକ ଶାଖା ବୋଲି ଟିପ୍ପଣୀ ଦେଇଥିଲେ । ଏହାପରେ ସିଡିଏସଙ୍କୁ ଏୟାର ଚିଫ୍ ମାର୍ଶଲ ତଥା ବାୟୁସେନା ମୁଖ୍ୟ ଆରକେଏସ୍ ଭଦୋରିଆ ଜବାବ ଦେଇ କହିଛନ୍ତି ଯେ, ସମସ୍ତ ଯୁଦ୍ଧରେ ବାୟୁସେନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

କିଛିଦିନ ତଳେ ସିଡିଏସ ରାୱତ କହିଥିଲେ ଯେ, ବାୟୁସେନା ହେଉଛି ସ୍ଥଳସେନାର ଏକ ଶାଖା, ଯାହା ଦେଶର ଆକାଶପଥର ପରିଚାଳନା କରିଥାଏ । ଗ୍ଲୋବାଲ କାଉଣ୍ଟର ଟେରୋରିଜିମ୍ କାଉନସିଲ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଭୟ ରାୱତ ଓ ଭଦୋରିଆ ପୃଥକ ଭାବେ ସମ୍ବୋଧନ କରୁଥିଲେ । ଏନେଇ ଭଦୋରିଆ କହିଥିଲେ ଯେ, ସ୍ଥଳସେନା, ନୌସେନା ଓ ବାୟୁସେନା ପାଖରେ ଅଲଗା ଅଲଗା ଶକ୍ତି ରହିଛି । ଯୁଦ୍ଧ ଲଢ଼ିବା ପାଇଁ ବାୟୁସେନାର ସାମର୍ଥ୍ୟ ଦେଶ ପାଇଁ ଅପରିହାର୍ଯ୍ୟ । ଏହାଛଡ଼ା ପୂର୍ବ ଲଦ୍ଦାଖର ସ୍ଥିତି ନେଇ ଭଦୌରିଆ କହିଥିଲେ ଯେ, ଚୀନ ଏହି ଅଞ୍ଚଳରେ ନିଜର ଭିତ୍ତିଭୂମି ସୁଦୃଢ଼ କରିବାରେ ଲାଗିପଡ଼ିଛି । ଭାରତୀୟ ସେନା ଚୀନ ସେନାଙ୍କ ସମସ୍ତ ଗତିବିଧି ଉପରେ ନଜର ରଖିଛି । ଜଣାପଡ଼ିଛି ଯେ, ବାୟୁସେନା ନିଜର ସମସ୍ତ ପ୍ରତିରକ୍ଷା ସାମଗ୍ରୀକୁ ଅଲଗା ଅଲଗା ଥିଏଟର କମାଣ୍ଡ ମଧ୍ୟରେ ବଣ୍ଟନ କରିବାକୁ ଚାହୁଁନାହିଁ, ତେଣୁ ବାୟୁସେନା ଥିଏଟର କମାଣ୍ଡ ଗଠନକୁ ବିରୋଧ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.