ବିମାନରେ ବୋମା… ଗୁଜବ କଲ ପାଇଁ ଏୟାର ଇଣ୍ଡିଆକୁ କେତେ କ୍ଷତି ସହିବାକୁ ପଡିଛି?

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ବିମାନରେ ବୋମା ପରି ଫେକ କଲ ଏକ ସାଧାରଣ ଘଟଣା ହୋଇଗଲାଣି । ସରକାର ଏହା ମଧ୍ୟରେ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି ଓ କଠୋର ନିୟମ ପ୍ରଣୟନ କରିଛନ୍ତି । ହେଲେ ଏହି ବେନାମୀ ଓ ମିଛ କଲର ସୋର୍ସ ପାଖରେ ପହଞ୍ଚିବା ସମ୍ଭବ ହେଉନାହିଁ । କିନ୍ତୁ ଏହି ଫେକ କଲ ପାଇଁ ଯାତ୍ରୀଙ୍କଠାରୁ ଆରମ୍ଭ କରି ବିମାନ ଉଡାଣ ସଂସ୍ଥାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଜାଣିଛନ୍ତି, ଗୋଟିଏ ବିମାନ ଉଡାଣ କମ୍ପାନୀ ଏହି ଫେକ କଲ ପାଇଁ କେତେ କ୍ଷତି ସହୁଛି ।

ମିଡିଆ ରିପୋର୍ଟ ମୁତାବକ, ବମ ଧମକ ପରି କଲ ପାଇଁ ଏୟାର ଇଣ୍ଡିଆ କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି ହୋଇଛି । ସଂସ୍ଥା ଏଯାଏଁ ୧୫୦୦ କୋଟି ଟଙ୍କାର କ୍ଷତି ସହିଲାଣି । ଏମିତି ଧମକ କାରଣରି ନିକଟରେ ଆମେରିକା ଯାଉଥିବା ଏକ ବିମାନକୁ ୩ କୋଟି ଟଙ୍କାର କ୍ଷତି ହୋଇଛି । ଅନ୍ୟ ଏକ ରିପୋର୍ଟ ମୁତାବକସ, ଭାରତରେ ଚଳିତ ବର୍ଷ ଏଯାଏଁ ୫୦୦ ବିମାନକୁ ଧମକପୂର୍ଣ୍ଣ ଫୋନ ମିଳିସାରିଛି । ଫଳରେ ଦୁଇହଜାର ବିମାନ ଓ ଏଥିରେ ଯାତ୍ରା କରୁଥିବା ୩ ଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଛନ୍ତି ।

ଯେତେବେଳେ କୌଣସି ବିମାନରେ ବୋମା ଥିବା ଧମକ ମିଳେ, ପୂରା ବ୍ୟବସ୍ଥା ଓଲଟପାଲଟ ହୋଇଯାଏ । ସେହି ବିମାନକୁ କୌଣସି ପାଖରେ ଥିବା ବିମାନ ବନ୍ଦରରେ ଅବତରଣ କରିବାକୁ ପଡେ । ଏଥିରେ ଆଭିଏସନ ଟର୍ବାଇନ ଫୁଏଲ (ଏଟିଏଫ)ର ବ୍ୟବହାର ହୁଏ । ଏଥିସହ ବିମାନର ଯାଞ୍ଚ, ଯାତ୍ରୀଙ୍କ ରହଣି ସୁବିଧାଠାରୁ ଆରମ୍ଭ କରି ସେମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳିରେ ପହଞ୍ଚାଇବା ପାଇଁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ । ଏଥିସହ ୨୪ ଘଣ୍ଟାର ଉଡାଣ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୁଏ ।