AI ବିମାନ ଦୁର୍ଘଟଣାରେ ବଡ଼ ଖୁଲାସା, ‘ଛଅ ବର୍ଷ ମଧ୍ୟରେ ଦୁଇଥର TCM ବଦଳାଗଲା, ତଥାପି…’
ଅହମ୍ମଦାବାଦରେ ଦୁର୍ଘଟଣାଗସ୍ତ ହୋଇଥିବାବିମାନର ଥ୍ରୋଟଲ୍ କଣ୍ଟ୍ରୋଲ୍ ମଡ୍ୟୁଲ୍ (TCM) ଛଅ ବର୍ଷ ମଧ୍ୟରେ ଦୁଇଥର ବଦଳାଯାଇଥିଲା। ପ୍ରଥମ ଥର ପାଇଁ ୨୦୧୯ରେ ଏବଂ ଦ୍ୱିତୀୟ ଥର ପାଇଁ ୨୦୨୩ରେ ।
ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଦୁର୍ଘଟଣାକୁ ନେଇ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଏହାରି ଭିତରେ ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି ।
ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆ ଗତ ଛଅ ବର୍ଷ ମଧ୍ୟରେ ଦୁଇଥର ଏହି ବିମାନର ଥ୍ରୋଟଲ୍ କଣ୍ଟ୍ରୋଲ୍ ମଡ୍ୟୁଲ୍ (TCM) ବଦଳାଇଥିଲା। ପ୍ରଥମ ଥର ୨୦୧୯ରେ ଏବଂ ଦ୍ୱିତୀୟ ଥର ୨୦୨୩ରେ ।
ଥ୍ରୋଟଲ୍ କଣ୍ଟ୍ରୋଲ୍ ମଡ୍ୟୁଲ୍ କ’ଣ- TCM ଏକ ଗୁରୁତ୍ୱପୂର୍ଣ୍ଣ ଫ୍ଲାଇଟ କଣ୍ଟ୍ରୋଲ, ଯେଉଁଥିରେ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ମଧ୍ୟ ଅନ୍ତର୍ଭୁକ୍ତ । ଏହି ସମାନ ସ୍ୱିଚ୍ ଯାହା ଦୁର୍ଘଟଣାର ତଦନ୍ତରେ ଏବେ କେନ୍ଦ୍ରକୁ ଆସିଛି । କାରଣ ଜୁନ୍ 12 ତାରିଖରେ ଅହମ୍ମଦାବାଦରୁ ଉଡ଼ାଣ ଭରିବା ପରେ ଏହି ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ହଠାତ୍ ବନ୍ଦ ହୋଇଯାଇଥିଲା, ଯାହା ପରେ ଏହି ଦୁର୍ଘଟଣା ଘଟିଥିଲା।
ବୋଇଂର ନିର୍ଦ୍ଦେଶରେ ଏହି ପରିବର୍ତ୍ତନ କରାଯାଇଥିଲା- ସୂତ୍ର ଅନୁସାରେ, 2019 ରେ ବୋଇଂ ଦ୍ୱାରା ଜାରି ଏକ ନିର୍ଦ୍ଦେଶ ପରେ TCM ବଦଳାଇବାର ନିଷ୍ପତ୍ତି ନିଆଯାଇଥିଲା। ଏହି ନିର୍ଦ୍ଦେଶ ପାଳନ କରି ଏୟାର ଇଣ୍ଡିଆ 2019 ଏବଂ 2023 ରେ ଡ୍ରିମଲାଇନର୍ ବିମାନ VT-ANB ର TCM ପରିବର୍ତ୍ତନ କରିଥିଲା।
AAIB ରିପୋର୍ଟ କ’ଣ କହୁଛି- AAIBର ପ୍ରାରମ୍ଭିକ ରିପୋର୍ଟରେ ଉଲ୍ଲେଖ ଅଛି ଯେ TCM କୁ ଦୁଇଥର ବଦଳାଯାଇଥିଲା, କିନ୍ତୁ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ କାର୍ଯ୍ୟକାରିତା ସହିତ ଏହାର କୌଣସି ସିଧାସଳଖ ସମ୍ପର୍କ ଥିବା ଜଣାପଡ଼ିନାହିଁ। ତଥାପି, ତଦନ୍ତରେ ଏହା ମଧ୍ୟ କୁହାଯାଇଛି ଯେ ଦୁର୍ଘଟଣା ସମୟରେ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ହଠାତ୍ ବନ୍ଦ ହୋଇଯିବା ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇ ରହିଛି।
ଏୟାର ଇଣ୍ଡିଆ ଦୁର୍ଘଟଣାର ତଦନ୍ତ ଉପରେ ଉଠିଥିବା ପ୍ରଶ୍ନ- ଏୟାରଲାଇନ୍ ପାଇଲଟ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ALPAI) ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି । ସଂଗଠନ କହିଛି ଯେ ତଦନ୍ତ ଆରମ୍ଭରୁ ପାଇଲଟ୍ଙ୍କ ଭୁଲ୍ ଆଡ଼କୁ ଢଳିଥିବା ମନେ ହେଉଛି, ଯାହା ତଦନ୍ତକୁ ପକ୍ଷପାତୀ କରିପାରେ ।