ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଜମାନାରେ ଦିନକୁ ଦିନ ଗ୍ରାହକଙ୍କ ପାଇଁ ନୂଆ ନୂଆ ଟେକ୍ନୋଲୋଜି ଆସୁଛି । ଯଦି ଆପଣମାନେ ମଦ ପ୍ରିୟ ତେବେ ଏନେଇ ଏକ ବଡ଼ ଖବର ଆସିଛି । ଏଣିକି ଆପଣମାନେ ସୁଇଚ୍ ଅନ୍ କଲେ ସଙ୍ଗେ ସଙ୍ଗେ ମଦ ପାଇ ପାରିବେ । ଏଟିଏମରୁ ଆପଣମାନେ ଯେପରି ଟଙ୍କା ବାହାର କରନ୍ତି, ଅନୁରୂପ ଭାବେ ଏଣିକି ଭେଣ୍ଡିଂ ମେଶିନରୁ ମଧ୍ୟ ମଦ ପାଇ ପାରିବେ । ଫଳରେ ଏଣିକି ମଦ କିଣିବା ପାଇଁ କାହାକୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ ।
ସୂଚନା ମୁତାବକ, ତାମିଲନାଡ଼ୁ ସରକାର ଏଭଳି ଏକ ସୁବିଧା ଲାଗୁ କରିଛନ୍ତି । ତାମିଲନାଡ଼ୁ ଷ୍ଟେଟ ମାର୍କେଟିଂ କର୍ପୋରେସନ ଲିମିଟେଡ (Tasmac) ପକ୍ଷରୁ ଏହି ଭେଣ୍ଡି ମେଶିନ୍ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି । ଚେନ୍ନାଇର ଏକ ସପିଂ ମଲରେ ଏହି ଆଲକହଲ ଭେଣ୍ଡିଂ ମେଶିନକୁ ଇନଷ୍ଟଲ କରାଯାଇଛି । ଏଣିକି ଗ୍ରାହକଙ୍କୁ ଆଉ ମଦ କାଉଣ୍ଟରକୁ ଯିବାକୁ ପଡ଼ିବ ନାହିଁ । ମେଶିନରୁ ମଦ କିଣିବା ପାଇଁ ଆପଣମାନେ ଅନଲାଇନ ଓ କ୍ୟାଶ୍ ମାଧ୍ୟମରେ ପେମେଣ୍ଟ କରିପାରିବେ ।
ଏଥିପାଇଁ ଗ୍ରାହକଙ୍କୁ ପ୍ରଥମେ ମେଶିନରେ ଲାଗିଥିବା ଛବିରୁ ନିଜ ପସନ୍ଦର ବ୍ରାଣ୍ଡକୁ ବାଛିବାକୁ ପଡ଼ିବ । ଏହାପରେ କ୍ୟାଶ ବା ଅନଲାଇନରେ ପେମେଣ୍ଟ କରି ମଦ ପାଇ ପାରିବେ । ପେମେଣ୍ଟ କରିବା ପରେ ମେଶିନରୁ ମଦ ଆପେଆପେ ବାହାରି ଆସିବ । ମଦର ଦାମ୍ ଯେତିକି ରହିଥିବା ଗ୍ରାହକଙ୍କୁ କେବଳ ସେତିକି ଟଙ୍କା ପେମେଣ୍ଟ କରିବାକୁ ପଡ଼ିବ । ମଦ ଦୋକାନ ଆଗରେ ବଢ଼ୁଥିବା ଭିଡ଼ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆଗକୁ କ’ଣ ପଦକ୍ଷେପ ଗ୍ରହଣ କରାଯିବ ସେନେଇ କିଛି ନିଷ୍ପତ୍ତି ନିଆଯାଇ ନାହିଁ ।