fbpx

ଭବିଷ୍ୟତର ବିଶ୍ୱ ପାଇଁ ସତର୍କ ଘଣ୍ଟି: ରୁଷ-ୟୁକ୍ରେନ ଯୁଦ୍ଧ ବଢ଼ାଇଲା ଚିନ୍ତା, ଆହତଙ୍କ ଠାରେ କାମ କରୁନି ଆଣ୍ଟିବାୟୋଟିକ- ଭୟଙ୍କର ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧର ଭୟଙ୍କର ପରିଣତ ଆଜି ସାରା ବିଶ୍ୱ ଭୋଗୁଛି । ତଥାପି ଏହି ଦୁଇ ଦେଶ ନିଜର ଜିଦରେ ଅଟଳ ରହି ଯୁଦ୍ଧ ସମାପ୍ତି ଘୋଷଣା କରୁନାହାନ୍ତି । ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ)ରେ ସାମିଲ ଥିବା ଆମେରିକା ପରି ଏକାଧିକ ରାଷ୍ଟ୍ର ୟୁକ୍ରେନକୁ ଭିତିରିଆ ସମର୍ଥନ କରୁଥିବା ବେଳେ ରୁଷକୁ ମଧ୍ୟ ଚୀନ ପରି କିଛି ରାଷ୍ଟ୍ର ସହଯୋଗ କରୁଥିବା ଜଣାପଡ଼ିଛି । ତେବେ ଦିନକୁ ଦିନ ବିଶ୍ୱର ବିଭିନ୍ନ ଦେଶର ଅର୍ଥନୀତି ଦୁର୍ବଳ ଆଡ଼କୁ ଗତି କରୁଥିବା ବେଳେ କିଛି ବହୁ ରାଷ୍ଟ୍ର ଦେବାଳିଆ ଅବସ୍ଥାକୁ ଚାଲିଆସିଲେଣି ।

ତେବେ ରୁଷ-ୟୁକ୍ରେନ ଯୁଦ୍ଧର ଆଉ ଏକ ଭୟଙ୍କର ପରିଣାମ ରିସର୍ଚ୍ଚ ମାଧ୍ୟମରେ ସାମ୍ନାକୁ ଆସିଛି । କୁହାଯାଉଛି, ଯୁଦ୍ଧରେ ଆହତ ହୋଇଥିବା ୟୁକ୍ରେନ ଲୋକଙ୍କଠାରେ ମେଡିସିନର ପ୍ରଭାବ ଠିକ୍ ଭାବେ ପରିଲକ୍ଷିତ ହେଉନି । ନିକଟରେ ୟୁକ୍ରେନର କିଛି ଆହତଙ୍କୁ ଜର୍ମାନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ସମୟରେ ରୋଗୀଙ୍କଠାରେ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥିବା ଜଣାପଡ଼ିଥିଲା । ତେବେ ଏହି ସାଇଲେଣ୍ଟ ମହାମାରୀ ଆଗାମୀ ଦିନରେ ଧୀରେଧୀରେ ସାରା ବିଶ୍ୱକୁ ନିଜର ଶିକାର ବନାଇପାରେ ।

ଏହାକୁ ଆଣ୍ଟିମାଇକ୍ରୋବିୟଲ ରେଜିଷ୍ଟାନ୍ସ (ଏଏମଆର) କୁହାଯାଇଥାଏ, ଅର୍ଥାତ ମେଡିସିନ ପ୍ରଭାବହୀନ ହୋଇଯାଇଥାଏ । ତେଣୁ ଏଭଳି ସ୍ଥିତିରେ ରୋଗୀଙ୍କ ଚିକିତ୍ସା କିପରି କରାଯିବ ସେନେଇ ଡାକ୍ତରମାନେ ମଧ୍ୟ ଚିନ୍ତାପ୍ରକଟ କରିଛନ୍ତି । ତେବେ ଯେତେବେଳେ ବ୍ୟାକ୍ଟେରିଆ, ଭାଇରସ ବା କୌଣସି ପ୍ରକାରର ପରଜୀବୀ ନିଜର ରୂପ ବଦଳାଇଥାଏ, ସେତେବେଳେ ମେଡିସିନ ପ୍ରଭାବହୀନ ହୋଇଯାଇଥାଏ । ଯେହେତୁ ଶରୀରରେ ଆଣ୍ଟିବାୟୋଟିକ କାମ କରିବ ନାହିଁ, ତେଣୁ ଏହାଦ୍ୱାରା ସାଧାରଣ ସଂକ୍ରମଣ ଭୟଙ୍କର ରୂପ ଧାରଣ କରିପାରେ ।

ବ୍ୟାକ୍ଟେରିଆ, ଭାଇରସର ବିକାଶକୁ ରୋକିବା ହେଉଛି ଆଣ୍ଟିବାୟୋଟିକ ଔଷଧର ମୁଖ୍ୟ କାର୍ଯ୍ୟ । ତେବେ ଯଦି ଆମେ ଆବଶ୍ୟକ ଠାରୁ ଅଧିକ ଆଣ୍ଟିବାୟୋଟିକ୍ ସେବନ କରିବା, ତେବେ ବ୍ୟାକ୍ଟେରିଆଠାରେ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । ଅର୍ଥାତ ଔଷଧ ବ୍ୟାକ୍ଟେରିଆ ବିରୋଧରେ କାମ କରିବ ନାହିଁ, ଫଳରେ ରୋଗୀ ବୀମାରଗ୍ରସ୍ତ ହୋଇ ରହିବ । ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ରତିରୋଧକ କ୍ଷମତା ସୃଷ୍ଟି ହେବା ପରେ ବ୍ୟାକ୍ଟରିଆ ଅନ୍ୟ ପ୍ରଜାତିକୁ ଚାଲିଯାଇଥାଏ ।

ଗତ ୨୦୧୯ରେ ସାରା ବିଶ୍ୱରେ ୧୨ ଲକ୍ଷରୁ ଅଧିକ ମୃତ୍ୟୁ ଆଣ୍ଟିବାୟୋଟିକ ରେଜିଷ୍ଟାନ୍ସ କାରଣରୁ ହୋଇଥିଲା । ବ୍ୟାକ୍ଟେରିଆ ସଂକ୍ରମଣ କାରଣରୁ ମେଡିସିନ ପ୍ରଭାବହୀନ ହୋଇଯାଇଥିଲା, ଫଳରେ ବହୁ ରୋଗୀ ମରିବାକୁ ବାଧ୍ୟ ହୋଇଥିଲେ । ତେଣୁ ମେଡିସିନକୁ ଠିକ୍ ଭାବେ ବ୍ୟବହାର କରିବା ଜରୁରୀ । ନଚେତ ମଣିଷ ରୋଗ ସହ ଲଢ଼େଇ କରିପାରିବ ବୋଲି ପ୍ରକାଶିତ ଷ୍ଟଡିରେ କୁହାଯାଇଛି । ନବ ଦଶକରେ ରୁଷ ଠାରୁ ଅଲଗା ହେବା ପରେ ୟୁକ୍ରେନର ମେଡିକାଲ ସାଇନ୍ସ ଏକପ୍ରକାର ଚାପରେ ରହିଥିଲା । ବୀମାରଗ୍ରସ୍ତ ଲୋକମାନେ ନିଜେ ନିଜର ଚିକିତ୍ସା ଆରମ୍ଭ କରିଦେଇଥିଲେ । ମାତ୍ର ଏନେଇ ସେଠାରେ କିଛି ନିୟମ କାର୍ଯ୍ୟକାରୀ ହୋଇନଥିଲା । ୨୦୨୧ ପର୍ଯ୍ୟନ୍ତ ସେଠାରେ ଆଣ୍ଟିବାୟୋଟିକକୁ ବିନା ଡାକ୍ତରଙ୍କ ପ୍ରେସକ୍ରିପସନରେ କ୍ରୟ କରାଯାଉଥିଲା । ତେବେ ଗତବର୍ଷ ଅଗଷ୍ଟ ମାସରେ ସେଠାରେ ଆଣ୍ଟିବାୟୋଟିକ ମେଡିସିନ ବିକ୍ରିକୁ ନେଇ ନୂଆ ନିୟମ ଲାଗୁ ହୋଇଛି । ଏବେ ସେଠାରେ ଲୋକମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହିଁ ଆଣ୍ଟିବାୟୋଟିକ ନେଇପାରିବେ ।

Get real time updates directly on you device, subscribe now.