fbpx

ରେଭେନ୍ସା ବିଶ୍ୱବିଦ୍ୟାଳୟ ର ସମସ୍ତ ପରୀକ୍ଷା ବାତିଲ

କଟକ ୨୫ ।୩ (ଓଡିଶା ଭାସ୍କର):ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରେଭେନ୍ସାର ସମସ୍ତ ପରୀକ୍ଷା ବାତିଲ ହୋଇଛି । ବିଶ୍ୱବିଦ୍ୟାଳୟରୁ କରୋନା ପଜିଟିଭ୍ ଚିହ୍ନଟ ପରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି । ସ୍ଥିତି ସ୍ୱାଭାବିକ ନହେବା ଯାଏଁ ରେଭେନ୍ସାର ସବୁ ପରୀକ୍ଷା ବାତିଲ କରାଯାଇଛି । ଆଜିଠୁ ଅଫଲାଇନ୍ ଶିକ୍ଷାଦାନ ବନ୍ଦ କରାଯାଇଛି ଏବଂ ଅନଲାଇନ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯାଇଛି । କ୍ୟାମ୍ପସ ଭିତରକୁ ବାହାର ବ୍ୟକ୍ତିଙ୍କ ପ୍ରବେଶ ମନା କରାଯାଇଛି ।
ଅନ୍ୟପଟେ ରେଭେନ୍ସା ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରୀଙ୍କୁ ଆସନ୍ତା ଦୁଇଦିନ ମଧ୍ୟରେ ହଷ୍ଟେଲ ଛାଡିବାକୁ ପରାମର୍ଶ ଦିଆଯାଇଛି। ଆକ୍ରାନ୍ତ ହୋଇଥିବା ଦୁଇଜଣ ଛାତ୍ରୀ ଷ୍ଟଡିରୁମ ସହ ଶୌଚାଳୟ ବି ବ୍ୟବହାର କରିଥିଲେ । ତେଣୁ ସେମାନଙ୍କ ସହ ମିଶିଥିବା ସହପାଠୀ ଆଶଙ୍କା ମଧ୍ୟରେ ଅଛନ୍ତି । କିଛି ଦିନ ତଳେ ଜଣେ ଅଧ୍ୟାପିକା ବି କରୋନା ସଂକ୍ରମିତ ହୋଇଥିଲେ।

କୋଭିଡ୍ ସ୍ଥିତିରେ ସୁଧାର ପରେ ପରୀକ୍ଷା ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ତ୍ରିଲୋଚନ ମିଶ୍ର କହିଛନ୍ତି । କେବେ ହେବ ପରୀକ୍ଷା ନିଷ୍ପତ୍ତି ପାଇଁ ଆଜି ବସୁଛି ବୈଠକ । ଏବେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ଭୁବନେଶ୍ୱର ସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ(XIMB) କରୋନା ଆକ୍ରାନ୍ତ ବାହାରିଥିଲେ ।

Get real time updates directly on you device, subscribe now.