Breaking: ରାତି ପାହିଲେ ପୁୁୁଣି ଥାନାକୁ ଯିବେ Allu Arjun, ଆସିଲା ମାମୁଁଙ୍କ ଡକରା

ନୂଆଦିଲ୍ଲୀ: ପିଛା ଛାଡୁନି ଅଲ୍ଲୁ ଅର୍ଜୁନଙ୍କ ସମସ୍ୟା । ବଢ଼ିଲା ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡୁଆ । କାଲି ହାଜର ପାଇଁ ଅଲ୍ଲୁଙ୍କୁ ପୋଲିସର ସମନ ଜାରି କରିଥିବା ଖବର ସାମ୍ନାକୁ ଆସିଛି । ଆସନ୍ତାକାଲି ଦିନ ୧୧ଟାରେ ହାଜର ହେବାକୁ ସମନ ଜାରି କରିଛି ଚିକଡ଼ପଲ୍ଲୀ ପୋଲିସ । ପୁଷ୍ପା-୨ ସ୍କ୍ରିନିଂ ବେଳେ ଦଳାଚକଟାକୁ ନେଇ ସମନ ଜାରି କରାଯାଇଥିବୀ ନେଇ କୁହାଯାଇଛି ।

ଗତ ୪ ତାରିଖରେ ଏହି ଘଟଣା ଘଟିଥିଲା। ସନ୍ଧ୍ୟା ଥିଏଟରକୁ ‘ପୁଷ୍ପା-୨’ର ପ୍ରିମିୟର ଶୋ’ ଦେଖିବାକୁ ଅଲ୍ଲୁ ଅର୍ଜୁନ ଆସିଥିବା ବେଳେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମି ଥିଲା। ଭିଡ଼ ଅଧିକ ହେବାରୁ ଦଳଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୮ ବର୍ଷର ପୁଅ ୨୦ ଦିନ ହେଲାଣି କୋମାରେ ରହିଛନ୍ତି । ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ଡିସେମ୍ବର ୧୩ ତାରିଖରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ପୋଲିସ । ଗୋଟିଏ ରାତି ଜେଲର ରହିବା ପରେ ତେଲଙ୍ଗାନା ହାଇକୋର୍ଟରୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପାଇ ଡିସେମ୍ବର ୧୪ରେ ସେ ମୁକୁଳିଥିଲେ । ଜେଲରୁ ମୁକୁଳିବା ପରେ ସେ କ୍ଷମା ପ୍ରାର୍ଥନା କରିଥିଲେ । ଅଲ୍ଲୁ ମୃତକଙ୍କ ପରିବାରକୁ 25 ଲକ୍ଷ ଟଙ୍କା ଦେଇଥିବା ବେଳେ ପୁଷ୍ପା-୨ ଫିଲ୍ମର ନିର୍ମାତା ଆଜି ମୃତ ମହିଳାଙ୍କ ସ୍ୱାମୀଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି । ତଥାପି ମଧ୍ୟ ବିବାଦ ପିଛା ଛାଡୁନି । ଆଜି ପୁଣି ଅଲ୍ଲୁଙ୍କୁ ପୋଲିସ ସମନ ଜାରି କରିଛି ।